ଭଗ୍ନ ବାରବାଟୀ
ଭଗ୍ନ ବାରବାଟୀ
ଦେଖିଛକି ବନ୍ଧୁ ଦେଖିଛକି ତୁମେ
ଭଗ୍ନ ବାରବାଟୀ ଦେଖିଛକି
ଯେଉଁ ଠାରେ ଦିନେ ରାଜା ରାଜୁଡ଼ାଙ୍କ
ଚାଲୁଥିଲା ପୂର୍ଣ୍ଣ ହୁକୁମାତି ll
ଦ୍ୱିତୀୟ ଅନଙ୍ଗ ଭୀମ ଦେବଙ୍କର
ଅଦ୍ୱିତୀୟ ଏହି କୃତି
ଚଉଦ୍ୱାର ଠାରୁ ରାଜଧାନୀ ଆଣି
ଗଢ଼ିଥିଲେ ବାରବାଟୀ ll
ରାଣୀହଂସ ପୁରେ ଆଲଟ ଚାମର
ଦାସ ଦାସୀ ପରିଚାରୀ
ନିୟୋଜିତ ଥିଲେ ନାରୀ ବା ପୁରୁଷ
ଥିଲେ କେତେ ସେବାକାରୀ ll
ନାହିଁ ଆଜି ସେହି ଗୌରବ ଗାରିମା
ସମୟ ସାଥୀରେ ଯାଇଛି ଫେରି
ଆସିବକି କେବେ ସେଇ ସବୁ ଦିନ
ନୂଆ ପିଢ଼ି ଆଜି ହୁଅନ୍ତି ଝୁରି ll
ଗଡ଼ଖାଇ ସାଥେ ଅତିକ୍ରମି କେତେ
ସୁରକ୍ଷା ବଳୟ ସୁଉଚ୍ଚ ସୀମା
ପାରିବକି କେହି ବାରବାଟୀ ଛୁଇଁ
ସେତ ମୋ ଜାତିର ଗର୍ବ ଗାରିମା ll
ନିଃଶ୍ବ ଆଜି ସେ ବିସ୍ମୃତି ଗର୍ଭରେ
କାହିଁ ଗଲା ସେହି ବୀରତ୍ୱ ବାଣୀ
ଆଜିସେ ଓଡ଼ିଆ ବିଶ୍ୱ ଦରବାରେ
ସେଇ ପରାକ୍ରମ ଦିଏ ବଖାଣି ll
ଏଇ ଦେଖ ସେଇ ମହାନ ସଂସ୍କୃତି
ସାଧବ ପୁଅର ଗୌରବ ଯାତ୍ରା
ପୁଣ୍ୟ ମହାନଦୀ ବାଲୁକା ଶେଜରେ
ବିପଣୀ ମାଳାର ସୁରମ୍ୟ ଆଭା ll
ଆଉକି ଫେରିବ ସେଦିନ ସେ ବେଳ
ହୃତ ଗଉରବ ପୁଲକ ନେଇ
ଶତ ସୁଷମାର ଆନନ୍ଦ ଖେଳାଇ
ଭୂମିରୁ ଭୂମାକୁ ଯିବ ସେ ଛୁଇଁ ll
