ଭାଷାର ମହତ୍ତ୍ୱ
ଭାଷାର ମହତ୍ତ୍ୱ


ଆଚରଣ ଗୁଣେ ପ୍ରାଣୀ ଶ୍ରେଷ୍ଠ ହୁଏ
ଜଗତେ ବୋଲନ୍ତି ଲୋକ
ଜୋଛନା ପରିକା ଶୀତଳତା ଚୁନା
ଭାଷା ଗଢେ ଶାନ୍ତି ପାକ ।
ତନୁ ରୂପ କାନ୍ତି ଦିନେ ହୁଏ ଇତି
ରହିଯାଏ କଥା ପ୍ରୀତି
ସେନେହ ଆଦର କରେ ଆପଣାର
ପଡ଼ି ରହି ଥାଏ କୀର୍ତ୍ତି ।
ସ୍ଥାନ କାଳ ପାତ୍ରେ ଭାଷା ପରଷିବ
ଧ୍ୟାନ ରଖି ଉଚ୍ଚ ନୀଚ
କୁଭାଷାକୁ ଦୂରେ ତ୍ୟାଗ କରି ଆସି
ହୃଦୟ ରଖିବ ସ୍ୱଚ୍ଛ ।
ତନୁ ଆଭୂଷଣ ବୁଦ୍ଧି ହୀନ ଦେଖେ
ଗୁଣି ଜନ ଦେଖେ ଭାଷା
ଦରିଦ୍ର କୋଳରେ ସାନ୍ତ୍ଵନା ଢାଳିଲେ
ଲିଭି ଯାଏ ତାର ତୃଷା ।
ଗଜ ବଶୀଭୂତ ମାହୁନ୍ତ କଥାରେ
କ୍ଷୟ ହୁଏ ତାର ଶକ୍ତି
ପୁଣି ଭୟଙ୍କର ମହାବଳବାଘ
ମାନବର କରେ ସ୍ତୁତି ।
p>
ଶାଳୀନତା ଶୋଭା ପରିଧାନ କଲେ
ଜଗତେ ଜିତିବେ ଜନେ
ପୁତ୍ର ପରି ରାଜା ପରଜା ପାଳିଲେ
ନିଶ୍ଚୟ ବିଜୟୀ ଦିନେ ।
ଭାଷାରୁ ଉତ୍ପନ୍ନ ଆମରି ଓଡିଶା
ଏ କଥା ରଖିବ ଧ୍ୟାନେ
ଏଇ ମାଟିପରେ କବି ମହାକବି
ଅମର ଭାଷାର ଦାନେ ।
ଖାଇବା ଗିଳିବା ଭୁଞ୍ଜିବା ଅର୍ଥରେ
ଅନେକ ଯେ ବ୍ୟବଧାନ
ବଚନ ମହତ୍ ସର୍ବ କର୍ମେ ହିତ
ବୋଲିବାରେ ସନମାନ ।
ପିତା ମାତା ମନ ବିନୟେ ତୋଷିବ
ଶ୍ରଦ୍ଧା ଭକ୍ତି ନମ୍ର ହୋଇ
ପାଛୋଟି ନେବେ ସେ ସେନେହ ଆଦରେ
ଆଶୀର୍ବାଦ ବରଷାଇ ।
ସର୍ବ ସୁନ୍ଦରତା ବାଣୀରେ ରହିଛି
ବୁଝିବ ଇଜ୍ଜତ ତାର
ଦୁନିଆଁରେ ତୁମେ ଶାନ୍ତିରେ ରହିବ
ସୁଖ ଶାନ୍ତି ହେବ ହାର ।