STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ଭାରତବର୍ଷ

ଭାରତବର୍ଷ

1 min
276


କେତେ ଶାସକ ଆସିବେ ପୁଣି ଯିବେ

କେତେ ସରକାର ଭାଙ୍ଗିବ ପୁଣି ଗଢିବ

ଯେତେ ଦଳ ସେତେ ନେତା

ସଭିଏଁ ଆସିବେ ଆଉ ଯିବେ

ଏଇ ଯିବା ଆସିବାର ପର୍ବରେ

ନୂଆ ନେତା ବି ସୃଷ୍ଟି ହେବେ

ନୂଆ ମତବାଦ ଆଉ ନୂଆ ଚିନ୍ତାଧାରା

ନିତ୍ୟ ନୂତନ ଏଠି ପରମ୍ପରା !!


ଶାସନ ଗାଦି ପାଇଁ ରାଜଦଣ୍ଡ ପାଇଁ

ଏହି ଅମୁହାଁ ଗଣ ଦୌଡ଼

ଏମିତି ଚାଲିଛି ଆଉ ଚାଲିଥିବ

ଅବଧାରିତ ଭାବେ ଅନବରତ

ମୋର ଏ' ବିଶାଳ ଭାରତବର୍ଷ

ସଗର୍ବେ ଗିରିରାଜ ହିମାଳୟ ସମ

ଦଣ୍ଡାୟମାନ ରହିଛି ଆଉ ରହିଥିବ

କାଳ କାଳ ଅନନ୍ତ କାଳ ପର୍ଯ୍ୟନ୍ତ !!


ଏଇ ମହାନ ସଂସ୍କୃତି ସମ୍ପନ୍ନ

ମହିମା ମଣ୍ଡିତ ଦେଶ ନୁହଁଇ

କେବଳ ମାଟି ବାଲି ପଥରରେ ଗଢା

ନଦନଦୀ ସାଗର ବେଷ୍ଟିତ ପ୍ରାଣହୀନ

ବିସ୍ତୀର୍ଣ୍ଣ ଭୂଖଣ୍ଡଟିଏ ମାତ୍ର

ଅଟଇ ଜୀବନ୍ତ ରାଷ୍ଟ୍ରପୁରୁଷ

ଅତୁଳନୀୟ ଅନନ୍ୟ ନୈତିକ

ମୂଲ୍ୟବୋଧର ବୈଭବରେ ସମୃଦ୍ଧ

ବିଭିନ୍ନତା ମଧ୍ୟରେ ଏକତା ଏଠି

ଜୀବନ ଜୀଇଁବାର ମୂଳମନ୍ତ୍ର !!


ଅଗଣିତ ଋଷିମୁନୀଙ୍କ ପ୍ରଜ୍ଞା

ତ୍ୟାଗ ତିତିକ୍ଷାର ପରାକାଷ୍ଠା

ସର୍ବ ସମ୍ପ୍ରଦାୟ ସର୍ବ ପନ୍ଥର

ମହାମିଳନର ପ୍ରୟାଗ କ୍ଷେତ୍ର

ଏହି ପାବନ ଭୂମି ସହିଷ୍ଣୁତା

ଦୟା ଧର୍ମ ମାନବିକତାର

ସଦା ପ୍ରଚାର କରିଛି ବାର୍ତ୍ତା

ଏଠି ଜୀବ ଜନ୍ତୁ ପାଦପ

କାଷ୍ଠ ପ୍ରସ୍ତର ପାଷାଣରେ ବି

ଦେବତ୍ବର ପ୍ରାଣ ପ୍ରବହମାନ

ଏଠି ମାଟି ଗୋଡ଼ି ଧୂଳି

ପାଣି ପବନ ସଭିଏଁ ମହାନ !!


ସୃଷ୍ଟିର ଆବହମାନ କାଳରୁ

ଏହି ମାଟିର ଗୌରବ

ସାର୍ବଭୌମତ୍ବର ରକ୍ଷା ପାଇଁ

ଅସଂଖ୍ୟ ଅଗଣିତ ବୀରଙ୍କ

ଅକାତର ନିଃସ୍ବାର୍ଥ ବଳିଦାନ

ନୋହିବ କେବେ ବି ବ୍ୟର୍ଥ

କାଳର କରାଳ ସ୍ରୋତରେ

ଯିବ ଭାଙ୍ଗି ଦିନେ ବିଭେଦର

ସମସ୍ତ ଅଲ୍ଲଂଘନୀୟ ପ୍ରାଚୀର

ବିଶ୍ୱ ଭାତୃତ୍ବର ବୈଜୟନ୍ତୀ

ଉଡାଇ ପୁଣି ଗଢି଼ ଉଠିବ

ଅଖଣ୍ଡ ଅଜେୟ ଭାରତବର୍ଷ !!



Rate this content
Log in

Similar oriya poem from Abstract