ଭାରତ ଭାରତ ମୋ ଭାରତ
ଭାରତ ଭାରତ ମୋ ଭାରତ
ଭାରତ,ଭାରତ, ଭାରତ ମୋ ଭାରତ
ଏପରି ଦେଶ ମିଳିବ ନାହିଁ
ଖୋଜିଲେ ସାରା ମରତ |(0)
ପ୍ରକୃତି ରାଣୀ ଶୋଭା ସଦନ,
ସର୍ବ ସମ୍ପଦ ଖଣି
ତିନି ପାରୁଶେ ଜଳଧି ଯାର
ହିମାଦ୍ରି ମଥାମଣି
ବିନ୍ଧ୍ୟ ମେଖଳା ବତ
ତଟିନୀ ମାଳା ହୀରକ ହାର ସବୁଜ କ୍ଷେତ ପଣତ |(1)
ଦେବତା ଏଠି ଲୀଳା କରନ୍ତି
ସରଗ ଧାମୁଁ ଆସି
ଏଇଠି ଅଛି ସକଳ ତୀର୍ଥ
ପ୍ରୟାଗ ଗୟା କାଶୀ
ଦ୍ଵାରକା ବଦ୍ରିନାଥ
ରାମେଶ୍ୱରରେ ଶ୍ରୀରାମନାଥ ଶ୍ରୀକ୍ଷେତ୍ରେ କଳା ସାଆନ୍ତ |(2)
ବାଲ୍ମୀକି ବ୍ୟାସ ଭାସ ଶ୍ରୀହର୍ଷ
ଭାରବୀ କାଳିଦାସ
ସାରଳା ଭଞ୍ଜ ରାଧାନାଥଙ୍କ
କବିତ୍ଵ ପରକାଶ
ବୁଦ୍ଧ ଶଙ୍କର ତତ୍ତ୍ଵ
ଜାତି ଜନକ ଗାନ୍ଧୀଙ୍କ ମତ ଦେଖାଏ ପଥ ନିୟତ (3)
ପରମା ସତୀ ସୀତା ସାବିତ୍ରୀ
ଗାର୍ଗୀ ମୈତ୍ରେୟୀ ଯହିଁ
ବୀରା ରମଣୀ ଦୁର୍ଗା ପଦ୍ମିନୀ
ଇନ୍ଦିରା ଲକ୍ଷ୍ମୀବାଇ
ରଖିଲେ ମହାଭାରତ
ମହାନ ହିନ୍ଦୁ ନାରୀ ମହତ୍ବ ଚମକି ଗଲା ଜଗତ |(4)
ଅଟଳ ଶାସ୍ତ୍ରୀ ମୋଦିଙ୍କ ପାଇଁ
ଆମେତ ସବୁ ଗର୍ବିତ
ଆମ ଆଦର୍ଶ ଆମ ବୀରତ୍ୱ
ଇତିହାସରେ ବର୍ଣ୍ଣିତ
ଜନରାଜ୍ୟର ଦିବସ
ଚଉସ୍ତରୀକୁ ପାଳିବା ଆମେ ସ୍ୱାଭିମାନର ସହିତ |(5)
