ଭାଗବତ ଭଜନ ମାଳା
ଭାଗବତ ଭଜନ ମାଳା
ଭାଗବତ ଭଜନ ମାଳା l
ଭବାବ୍ଧୀ ତାରଣ କାରଣ ଭେଳା l
ଭାଗବତ ଭଜନ ମାଳା ...
ପ୍ରଥମ ଦ୍ୱିତୀୟ ନଈମିଷାରଣ୍ୟେ
ସାଧୁ ସନ୍ଥଙ୍କର ମେଳା ବସିଲା l
ସୂତ ଶୋଊନକ ମିଳିଲେ ଅନେକ
ଆଗମ ନିଗମ ବଖାଣ ହେଲା l
ଭାଗବତ ଭଜନ ମାଳା ...
ତୃତୀୟରେ ପୁଣି ବ୍ରହ୍ମାଣ୍ଡ ସର୍ଜନା
ଚତୁର୍ଥରେ ଧ୍ରୁବ ତପେ ବସିଲା l
ଅଜପା ମନ୍ତ୍ରକୁ ହୃଦୟରେ ଧ୍ୟାୟୀ
ଧ୍ରୁବଲୋକେ ପୁଣି ସ୍ଥାନ ଲଭିଲା ll
ଭାଗବତ ଭଜନ ମାଳା ...
ପଞ୍ଚମ ସ୍କନ୍ଧରେ ସାତ ଭାଗେ ପୃଥ୍ବୀ
ଭରତ ପୁତ୍ରଙ୍କ ମଧ୍ୟେ ବାଣ୍ଟିଲା l
ଛବିଶ ଅଧ୍ୟାରେ ନରକ ବର୍ଣ୍ଣନ
ପରମସଂହିତା ଶେଷ ହୋଇଲା ll
ଭାଗବତ ଭଜନ ମାଳା ...
ଷଷ୍ଠରେ ତାରଣ ପାପୀ ଅଜାମ୍ବିଳ
ପୁତ୍ର ନାମେ ନାରାୟଣ ଡାକିଲା l
ତରିଗଲା ପାପୀ ପୁତ୍ରନାମ ଡାକି
ଅଦଭୁତ ଅଟେ ହରିଙ୍କ ଲୀଳା ll
ଭାଗବତ ଭଜନ ମାଳା ...
ସପ୍ତମ ସ୍କନ୍ଦରେ ମହା ବିଷ୍ଣୁ ଭକ୍ତ
ପ୍ରହଲ୍ଲାଦଙ୍କର ଜନ୍ମ ହୋଇଲା l
ହିରଣ୍ୟ ବିଦାରି ପ୍ରଭୁ ନରହରି
ଅନ୍ତରେ ପିନ୍ଧନ୍ତି ଗଳାରେ
ମାଳା ll
ଭାଗବତ ଭଜନ ମାଳା ...
ଅଷ୍ଟମ ସ୍କନ୍ଦରେ ସାଗର ମନ୍ଥନେ
ଜନମ ଲଭିଲେ ମାଆ କମଳା l
ଗଜ ଉଦ୍ଧାରଣ କୁମ୍ଭୀର ମାରଣ
ମୋହିନୀମାୟାରେ ଶିବ ବାଉଳା ll
ଭାଗବତ ଭଜନ ମାଳା ...
ନବମ ସ୍କନ୍ଦରେ ବଂଶାନୁଚରିତ
ଚଉଦ ଅଧ୍ୟାୟେ ସମାପ୍ତ ହେଲା l
ଦଶମ ସ୍କନ୍ଧରେ ଶ୍ରୀହରି ଜନମ
ମଞ୍ଚାରୁ ମଉଳା ପଡ଼ି ମରିଲା ll
ଭାଗବତ ଭଜନ ମାଳା ...
ଏକାଦଶ ସ୍କନ୍ଦେ ତତ୍ତ୍ୱର ବଖାଣ
ଉଦ୍ଧବ ବଦ୍ରିକାଶ୍ରମେ ଚଳିଲା l
ଯେଉଁ ଦାଣ୍ଡେ ଗଲେ ଭକତ ଉଦ୍ଧବ
ସେ ଧୂଳି ମୋହର ମୁଣ୍ଡେ ପଡ଼ିଲା ll
ଭାଗବତ ଭଜନ ମାଳା...
ଦ୍ଵାଦଶ ସ୍କନ୍ଦରେ ଭବିଷ୍ୟ କଥନ
ଶୁକ ମୁଖେ ପରୀକ୍ଷିତ ଶୁଣିଲା l
କରି ହରିଧ୍ୱନୀ ଗଲେ ଶୁକମୁନି
ଜନ୍ମେଜୟ ସର୍ପ ଯଜ୍ଞ କରିଲା ll
ଭାଗବତ ଭଜନ ମାଳା ...
ଦ୍ବାଦଶ ସ୍କନ୍ଧରେ ଶିରି ଭାଗବତ
ଭଜ ଆରେ ମନ ନକରି ହେଳା l
ଅଭ୍ୟାସିବ ନିତ୍ୟ ଏ ପରମ ଶାସ୍ତ୍ର
ଜଗନ୍ନାଥ ଦାସ ଗୀତେ କହିଲା ll
ଭାଗବତ ଭଜନ ମାଳା ...