ଭାବରେ ଭଗବାନ
ଭାବରେ ଭଗବାନ
ଜଗନ୍ନାଥ ନାମ ଜଗତେ ବିଖ୍ୟାତ
ପୁରୀ ଅଟେ ଶ୍ରେଷ୍ଠ ଧାମ
ନିତିଦିନ ଭକ୍ତେ ଶ୍ରୀକ୍ଷେତ୍ର ଧାଆନ୍ତି
ଦିଅନ୍ତି ଅନେକ ନାମ l
କେତେ ଗାରିମା ତ ନେଇଛ ଠାକୁର
ଭିନ୍ନ ଭିନ୍ନ ନାମ ନେଇ
କାନ୍ଦି କାନ୍ଦି ତୁମେ ଡାକନ୍ତି ଭକତ
ଦୁଃଖ ଲାଘବର ପାଇଁ l
ବିଶ୍ୱବସୁ ସଙ୍ଗେ ଜଙ୍ଗଲେ ରହିଲେ
ନୀଳ ମାଧବ ରୂପରେ
ବିନା ମନ୍ତ୍ର ଜପେ ଆପଣା କରିଲା
ଜଙ୍ଗଲୀ ଫୁଲ ଫଳରେ l
ରାଜା ଇନ୍ଦ୍ରଦ୍ୟୁମ୍ନ ଛଳନା କରିଲେ
ଶୂନ୍ୟରେ ହୋଇଲେ ଗୁପ୍ତ
ନୀଳାଞ୍ଚଳ ଧାମେ ଆବିର୍ଭାବ ହୋଇ
କରୁଛ ଏଠି ରାଜୁତ୍ୱ l
ଦାରୁ ଦେବତାର ମାନ୍ୟତା ନେଇଛ
ନିଳକନ୍ଦରରୁ ଖସି
ଭାଇ ଓ ଭଉଣୀ ସଙ୍ଗରେ ରଖିଛ
ରତ୍ନ ମଣ୍ଡପରେ ବସି l
ରସିକ ନାଗର ରାସ କରୁଅଛ
ଦେଖୁ ଭିନ୍ନ ଭିନ୍ନ ରୂପ
ବେଦ ମନ୍ତ୍ର ପଢି ପାହାନ୍ତା ପ୍ରହରୁ
ଦେଉଅଛୁ ଧୂପ ଦୀପ l
ଚନ୍ଦନ, କସ୍ତୁରୀ କର୍ପୁର ଲଗାଇ
ଶାନ୍ତି ପ୍ରୀତି ଭକ୍ତି ଭରି
ଉଛନ କରୁଛ ଭକ୍ତକୁ ତୁମର
ଶ୍ରୀକ୍ଷେତ୍ରେ ଯାଆନ୍ତି ତରି l
ଦେଖି ନାନା ରୂପ ତୁମର ଭକତେ
ନିଜକୁ ମଣନ୍ତି ତୃପ୍ତ
କେତେ ନାମ ଧରି ବିକଳେ ଡାକନ୍ତି
ନୁହଁଇ ପରି ସମାପ୍ତ l
ଭାବ ଲଗାଇଛ ଭାବର ଠାକୁର
ଭୋଗୁ ଅଛି ଦୁଃଖ କଷ୍ଟ
ଅଭାବରେ ପଡି ସ୍ଵଭାଵ ମୋହର
ନ ହେଉ କେବେ ତ ନଷ୍ଟ l
ଦୁଃଖ ଦେଉଥାଅ ଅଶାନ୍ତ ଜୀବନ
ତୁଣ୍ଡେ ରହିଥାଉ ନାମ
ଭଜି ଭଜି ତୁମେ ଦିନ ସରିଯାଉ
ଧାଉଁ ଥାଏ ତୁମ ଧାମ l
