STORYMIRROR

Gobinda Chandra Sethi

Inspirational

4  

Gobinda Chandra Sethi

Inspirational

ଭାବରେ ଭଗବାନ

ଭାବରେ ଭଗବାନ

1 min
241

ଜଗନ୍ନାଥ ନାମ ଜଗତେ ବିଖ୍ୟାତ

ପୁରୀ ଅଟେ ଶ୍ରେଷ୍ଠ ଧାମ 

ନିତିଦିନ ଭକ୍ତେ ଶ୍ରୀକ୍ଷେତ୍ର ଧାଆନ୍ତି

ଦିଅନ୍ତି ଅନେକ ନାମ l


କେତେ ଗାରିମା ତ ନେଇଛ ଠାକୁର

ଭିନ୍ନ ଭିନ୍ନ ନାମ ନେଇ

କାନ୍ଦି କାନ୍ଦି ତୁମେ ଡାକନ୍ତି ଭକତ

ଦୁଃଖ ଲାଘବର ପାଇଁ l


ବିଶ୍ୱବସୁ ସଙ୍ଗେ ଜଙ୍ଗଲେ ରହିଲେ

ନୀଳ ମାଧବ ରୂପରେ

ବିନା ମନ୍ତ୍ର ଜପେ ଆପଣା କରିଲା

ଜଙ୍ଗଲୀ ଫୁଲ ଫଳରେ l


ରାଜା ଇନ୍ଦ୍ରଦ୍ୟୁମ୍ନ ଛଳନା କରିଲେ 

ଶୂନ୍ୟରେ ହୋଇଲେ ଗୁପ୍ତ 

ନୀଳାଞ୍ଚଳ ଧାମେ ଆବିର୍ଭାବ ହୋଇ 

କରୁଛ ଏଠି ରାଜୁତ୍ୱ l


ଦାରୁ ଦେବତାର ମାନ୍ୟତା ନେଇଛ

ନିଳକନ୍ଦରରୁ ଖସି 

ଭାଇ ଓ ଭଉଣୀ ସଙ୍ଗରେ ରଖିଛ

ରତ୍ନ ମଣ୍ଡପରେ ବସି l


ରସିକ ନାଗର ରାସ କରୁଅଛ

ଦେଖୁ ଭିନ୍ନ ଭିନ୍ନ ରୂପ 

ବେଦ ମନ୍ତ୍ର ପଢି ପାହାନ୍ତା ପ୍ରହରୁ

ଦେଉଅଛୁ ଧୂପ ଦୀପ l


ଚନ୍ଦନ, କସ୍ତୁରୀ କର୍ପୁର ଲଗାଇ 

ଶାନ୍ତି ପ୍ରୀତି ଭକ୍ତି ଭରି

ଉଛନ କରୁଛ ଭକ୍ତକୁ ତୁମର 

ଶ୍ରୀକ୍ଷେତ୍ରେ ଯାଆନ୍ତି ତରି l


ଦେଖି ନାନା ରୂପ ତୁମର ଭକତେ

ନିଜକୁ ମଣନ୍ତି ତୃପ୍ତ

କେତେ ନାମ ଧରି ବିକଳେ ଡାକନ୍ତି 

ନୁହଁଇ ପରି ସମାପ୍ତ l


ଭାବ ଲଗାଇଛ ଭାବର ଠାକୁର

ଭୋଗୁ ଅଛି ଦୁଃଖ କଷ୍ଟ 

ଅଭାବରେ ପଡି ସ୍ଵଭାଵ ମୋହର

ନ ହେଉ କେବେ ତ ନଷ୍ଟ l  


ଦୁଃଖ ଦେଉଥାଅ ଅଶାନ୍ତ ଜୀବନ

ତୁଣ୍ଡେ ରହିଥାଉ ନାମ

ଭଜି ଭଜି ତୁମେ ଦିନ ସରିଯାଉ

ଧାଉଁ ଥାଏ ତୁମ ଧାମ l



Rate this content
Log in

Similar oriya poem from Inspirational