ଭାବନାର କ୍ଷେତ୍ରଫଳ
ଭାବନାର କ୍ଷେତ୍ରଫଳ
ଭାବନାର କ୍ଷେତ୍ରଫଳ ତ ନଥାଏ
ନଥାଏ ତା ପରିସୀମା,
କେତେ ଦୂର ଦୂର ଭାବନାର ଗତି
ମାପି ହୁଏନାହିଁ ଜମା ll
ନିମିଷକେ ସିଏ ଲଙ୍ଘି ଯାଇପାରେ
ସପ୍ତ ସିନ୍ଧୁ ଜଳ ଭାଗ,
ଭୂଭାଗୁ ଆକାଶ ଅନ୍ତରୀକ୍ଷ ଯାଏ
ଗତି ତାର ଚତୁଃର୍ଦିଗ l
ବାନ୍ଧିହୁଏ ନାହିଁ ଭାବନାଟି ସେତ
ଗୋଟିଏ ଭାବକୁ ନେଇ,
ଭାବନା ରାଇଜେ ବୁଲୁଥାଏ ସଦା
ମୁକ୍ତ ବିହଙ୍ଗମ ହୋଇ l
ଗୋଟିଏ ଦିଗରେ ଭାବନାରୋକିଲେ
ଅନ୍ୟ ଦିଗେ ଯାଏ ମାଡି,
ବ୍ୟାପକ ଯୋଜନା ମୁହୂର୍ତ୍ତେ ମଧ୍ୟରେ
ହୋଇଯାଇଥାଏ ଯୋଡି l
କେବେ ଉଡ଼ିଯାଏ ଚନ୍ଦ୍ରମା ପୃଷ୍ଠକୁ
ମନଯାନ ପରେ ବସି,
କେବେ ବୁଲିଯାଏ ଚଉଦ ଭୁବନ
ଗୟା ଗଙ୍ଗା ଆଉ କାଶୀ l
ଆୟତ୍ତ କରିବା ଅତୀବ କଠିନ
ମଦ ମତ୍ତ ହସ୍ତୀ ଯଥା,
ବିବେକ ବଳରେ ଆୟତ୍ତ କରିବା
ଉଚିତ ଅଟେ ସର୍ବଥା l
ଆତ୍ମ ବିଶ୍ୱାସ ଓ ସଂଯମତା ବଳେ
ବିବେକକୁ ଦୃଢ଼ କରି,
ଭାବନାକୁ ସତ ପଥେ ନେଇ ଚାଲ
ଉନ୍ନତି ମାର୍ଗକୁ ଧରି l
ଭାବନାଟି ଯଦି ସୁପଥରେ ଯାଏ
ସୌରଭ ବାଣ୍ଟଇ ତାର,
କୁପଥରେ ଗତି କରିଲେ ଭାବନା
ମାନବଟି ନାରଖାର l
ଆଧ୍ୟାତ୍ମଭାବନା ଦିବ୍ୟତା ଭାବନା
ଈଶ୍ୱର ନିକଟେ ଗତି,
ପରମାର୍ଥ ମିଳେ ମୁକ୍ତି ମାର୍ଗ ଖୋଲେ
ମିଳି ଥାଏ ଗତି ମୁକ୍ତି l
