ଭାବନାର କ୍ଷେତ୍ରଫଳ
ଭାବନାର କ୍ଷେତ୍ରଫଳ
ଅସୀମିତ ବ୍ୟାପ୍ତ ଭାବନା ପରିଧି
ଅମାପ ତା କ୍ଷେତ୍ରଫଳ
ପାରେ ଅତିକ୍ରମି ପ୍ରଖର ବେଗରେ
ତିନିପୁର ଭୂମଣ୍ଡଳ ।
ଶୂନ୍ଯ ଅଣାକାର ସ୍ବରୂପ ତାହାର
ଶକତି ଅକଳ୍ପନୀୟ
ମାନେ ନାହିଁ କିଛି ବାଧା ପ୍ରତିବନ୍ଧ
ଶିକୁଳୀ ପିଞ୍ଜରା ଦେହ ।
କର୍ମ ସଦ୍ଭାବନା ଉତ୍ତମ ସଂସ୍କାର
ସଚେତନ ସୁସାହିତ୍ଯ
ପ୍ରକଟେ ଭାବନା ସୁମନ ମହକ
ପ୍ରସ୍ଫୁଟଇ ପାରିଜାତ ।
ହୃଦ ସହସ୍ରାର ଚକ୍ର ଅନାହତ
ବିଶୁଦ୍ଧାଦି ମଣିପୁର
ଉନ୍ମେଷେ କଳ୍ପନା ପ୍ରଫୁଲ୍ଲ କମଳ
ସତ୍ଯ ଶାନ୍ତି ଶତଦଳ ।
ସମ୍ଭବଇ ସୃଷ୍ଟି ସବୁଜ ସୁନ୍ଦର
ପ୍ରବହେ ମୃଦୁ ମଳୟ
ନିର୍ଝରେ ଅମୃତ ମରତ ଲୋକରେ
ପ୍ରାଣ ହୁଏ ଜୀବନ୍ମୟ ।
ଅନ୍ବେଷେ ଜୀବନ ଆନନ୍ଦ ଉଲ୍ଲାସ
ମଧୁମୟ ସ୍ନେହ ପ୍ରେମ
ବିକଶେ ଭାବନା ଜ୍ଯୋତି ବର୍ଣ୍ଣ ବିଭା
ଦିଗନ୍ତ ନବ ସ୍ବଣ୍ଣିମ ।

