ଭାବନା -ଏକ ଦୁଃଖଦ ମୁହୂର୍ତ୍ତର
ଭାବନା -ଏକ ଦୁଃଖଦ ମୁହୂର୍ତ୍ତର
ଛାଇ ଆଲୁଅର ଲୁଚକାଳି ଖେଳ
ଅପସରି ଗଲା ପରି
କେବେ ଆସେ ମୃତ୍ୟୁ କେବେ ତ ଜୀବନ
ମନେ ହେଉଥାଏ ଝୁରି l
ବିକଶିତ ହୁଏ ଛୋଟ କଳିକାଟି
କୋମଳ ପାଖୁଡା ମେଲି
ମହାକାଇ ଦିଏ ତାହାର ସୁବାସେ
ପୁରପଲ୍ଲୀ ଠାରୁ ଦିଲ୍ଲୀ l
ଖୁସିର ଲହରୀ ଖେଳେ ଚଉଦିଗେ
ଦେଖି ତା'ର ଶୋଭା ଶିରୀ
ଧୀର ପବନରେ ଦୋଳୁଥାଏ ନିତି
ସଭିଙ୍କୁ ନିଜର କରି l
କେଉଁଠୁ ଆସେ ସେ ଝଞ୍ଜା ପବନ
ଦିଏ ତା ପାଖୁଡା ଝାଡ଼ି
ବୃନ୍ତଚ୍ୟୁତ ହୋଇ ନିଜ ଲୁହ ପିଇ
ଅକାଳେ ପଡଇ ଝଡ଼ି l
ହା ହା କାର ଶୁଭେ ସବୁରି ମୁଖରୁ
ଏ କି ହେଲା? ଏ କି ହେଲା
ଆହା ରେ ବିଧାତା ! ଏପରି ମରଣ
ତା ' କପାଳେ ଲେଖିଥିଲା !
ମମତା ବୋଳା ଏ ମାଟିର ଅଗଣା
କେତେ ଯେ ତାକୁ ଝୁରଇ
ଜୀବନ, ମୃତ୍ୟୁର ସୁବର୍ଣ୍ଣ ସେତୁ ସେ
ଗଲା ଯେ କେଣେ ଉଭେଇ?
ବୁଜିଦେଲେ ଆଖି ଦିଶେ ତା'ର ରୂପ
ମନ ମତାଣିଆ ହସ
ଅଫେରା ରାଇଜୁ ଫେରିବ କି ପୁଣି
ହସାଇବ ପରିବେଶ?
