ବେଶ ପରିବେଶର
ବେଶ ପରିବେଶର
ଶଙ୍ଖ ମଲମଲ ଦିଶେ ଚାରିଆଡ଼େ
ଭୂମି ଚୁମେନାହିଁ ପାଦ ,
ଗଛ ଲଗାଇବା ଜାତକରେ ନାହିଁ
ଫଳ ପାଇଁ ଚାଲେ ବାଦ ।
ଚିକ ଚିକ କରେ ପଲିଥିନ ହାତେ
ସଭ୍ୟତା ମନେ ଉଛୁଳେ ,
ଗରଳ ଝରାଏ ବଦନ ମାଟିରେ
ଭୟେ ଅନ୍ତର ବାଉଳେ ।
ଆସ୍ତରଣ ଘନ କାରଖାନା ତୋୟ
ଯେବେ ଜଳାଶୟେ ମିଶେ ,
ସପ୍ତ ରଙ୍ଗ ବାଦେ ବେନାମୀ ରଙ୍ଗରେ
ଉଦକ ଅଦ୍ଭୁତ ଦିଶେ ।
ଆକାଶ ଦିନରେ ସୁନୀଳ ଧବଳ
ସଞ୍ଜେ ଲୋହିତ ସୁନେଲି ,
ଅଙ୍ଗାର ସମୀରେ ବିଚରେ ସର୍ବଦା
ପ୍ରଦୁଷକ ଖେଳେ ହୋଲି ।
ଟ୍ରଲର ବୁଲଇ ଜାଲକୁ କାନ୍ଧେଇ
ମାଛ ସାପ ଏକାକାର ,
ତୈଳ ନିର୍ଗମନ ଜଳେ ସମ୍ମିଶ୍ରଣ
ଅର୍ଣ୍ଣବ ଜୀବ ବେକାର ।
ଅରଣ୍ୟ କ୍ରନ୍ଦନ କରଇ ନିର୍ଜନ
ସାଙ୍ଗସାଥୀ ନାହିଁ କେହି ,
ଅବାଧ ଶିକାର ଚାଲେ ବାରମ୍ବାର
ପ୍ରଗତିର ଦେଇ ଦ୍ଵାହି ।
ଆବର୍ଜନା କୁଣ୍ଡ ଏକ ସ୍ଥାନେ ରୁଣ୍ଡ
ଅଳିଆ ପଡଇ ନାଳେ ,
ସରକାର ଦାୟୀ ଆମେ ସଚ୍ଚା ଭାଇ
ସଦନ ଆଶ୍ରୟସ୍ଥଳେ ।
ଅମ୍ଳଜାନ ଆଜି ବଞ୍ଚିବାକୁ ରାହା
ଖୋଜି ହୁଏ ସତେ କ୍ଳାନ୍ତ ,
ଆଦିତେୟ ଏକା ଧରଣୀକୁ ସାହା
ପାପ କର୍ମୁ ହୁଅ କ୍ଷାନ୍ତ ।