ବେପାରୀ
ବେପାରୀ
ଜୀବନ ସଉଦା କରିବା ପାଇଁ
ସଂସାର ହାଟରେ ବେପାରୀ ମୁହିଁ
ହୋଇଛି ଓଟ
ଭିନ୍ନ ଭିନ୍ନ ଚରିତ୍ରେ କରୁଛି ନାଟ।
ବିକୁଛି ଅଳପ କିଣୁଛି ବେଶୀ
ଲୁହ କୋହକୁ ହୃଦୟେ ନେସି
ଭିଡରେ ଏକା
ସାହା ହେବାପାଇଁ ଜଣେ ସଖା।
ସମ୍ପର୍କର ବୋଝ ବହୁଛି ନିତି
ସପନ ଦେଖାରେ ବିତିଛୁ ରାତି
ସରେ ପଇସା
ସଉଦା ସରେନା ପୁରେନି ଆଶା।
ଯେତେ ମିଳଇ ଆହୁରି ଚାହେଁ
ଶୋଷ ମରେ ନାହିଁ ଯେତେ ପିଏ
ବଢେ ଆୟୁଷ
ତଥାପି ମରେନା ପ୍ରାପ୍ତିର ଶୋଷ।
ତଟକା ସୁନ୍ଦର ଯେତିକ ଚିଜ
ବାଛି ବାଛି କିଣେ ପରିବା ସଜ
ଅନ୍ୟ ପାଇଁ
ବାସି ପୋକରା ବାଛଇ ମୁହିଁ।
ଭାରି ସ୍ୱାର୍ଥପର ମୂଢ ଏ ମତି
କି କିଣେ କି ବିକେ ଦିନ ରାତି
ନପାରେ ଜାଣି
କି ବେପାର କରେ କାହିଁକି ପୁଣି!
ଆସିଥିଲି ଖାଲି ଯିବି ତ ଖାଲି
ଏତେ ଅଜ୍ଞାନ କେମିତି ହେଲି
ଭୁଲିଲି ସବୁ
ଅନିତ୍ୟ ସୁଖ କରିଲା କାବୁ।
ତେଲ ସରି ଯିବ ଦୀପ ଲିଭିବ
ଦିନ ଯାଇ ସନ୍ଧ୍ୟା ଘଣ୍ଟି ବାଜିବ
ଫେରି ଯିବି
ଭାବୁଛି ସାଥିରେ କଣ ନେବି !!
