ବେଳ ଥାଉଁ ଭଜ
ବେଳ ଥାଉଁ ଭଜ
ବେଳ ଥାଉଁ ଭଜ ପରମାତ୍ମା ଚରଣରେ, ମୁଢ଼ମନ
ଭଜୁଭଜୁ ପାରିହେବୁ ଭବବନ୍ଧନରେ, ମୁଢ଼ମନ ।।
ଯାକୁବୋଲୁ ମୋର ମୋର କେହି ନାହିଁ ତୋରରେ
ଯାକୁ ପର କରୁଅଛୁ ସେହି ଏକା ସାହାରେ ।
ମୋର ବୋଲି ଯାକୁ ଭାବୁ, ମନରେ . . .
ମୋର ବୋଲି ଯାକୁ ଭାବୁ ,
ସେ ନେବ ତୋ ପ୍ରାଣରେ,ମୁଢ଼ ମନ. . . II ll
ଅଗ୍ନୀ ଦଶଦିଗପାଳ ସାକ୍ଷୀ ରଖି
ଯାହା ହାତଧରି ଥିଲୁ ,
ଦିନେ ସେହି ତୋତେ ଛାଡ଼ି ଚାଲିଯିବ
କାହିଁ ଜାଣିନପାରିଲୁ ।
ତା ପ୍ରେମରେ ଅନ୍ଧ ହୋଇ,ମନରେ
ତା ପ୍ରେମରେ ଅନ୍ଧ ହୋଇ..
ସୁଖେ ବିତେ ତୋର ଦିନରେ, ମୁଢ଼ ମନ .. ।। ।।
ଧନଜନସୁତା ପୁଣି ସ୍ତିରୀ କନ୍ୟା
ସବୁ ବୋଲୁ ମୋର ମୋର,
ଧନ ଗରବରେ ଅନ୍ଧ ହୋଇ ତୁହି
ମଦମାଂସେ ନିରନ୍ତର ।
ସେହି ଧନଦ୍ରବ୍ୟ ସବୁ, ମନରେ
ସେହି ଧନଦ୍ରବ୍ୟ ସବୁ..
ନେବୁ ନାହିଁ ତୋ ସଙ୍ଗତରେ , ମୁଢ଼ ମନ..।। ।।
ବେଳ ଥାଉଁ ଥାଉଁଭଜ ଭାବଗ୍ରାହୀ
କରୁଣା ସାଗର ହରି,
ସଂସାର ସାଗର ମାୟା ପାରାବାରୁ
କରିବେ ଶ୍ରୀହରି ପାରି ।
ସେ ନାମ ଯେ ଏକା ସାର, ମନରେ
ସେ ନାମ ଯେ ଏକା ସାର ...
ପାରି ଭବ ତରଙ୍ଗିଣୀ ରେ, ମୁଢ଼ ମନ ।। ।।
