STORYMIRROR

Hrushikesh Satpathy

Inspirational

4  

Hrushikesh Satpathy

Inspirational

ବେଦଭୂମି ବନାମ୍ ବିଶ୍ୱାସ ଘାତକ

ବେଦଭୂମି ବନାମ୍ ବିଶ୍ୱାସ ଘାତକ

1 min
23.8K

କରୋନା...

ନୋଭେଲ୍-

କରୋନା ଭାଇରସ୍....

ଓରଫ୍ କୋଭିଡ୍-୧୯ !

ଧୃଷ୍ଟ ପ୍ରତିବାସୀଙ୍କର

ତ୍ରସ୍ନୁପଣର ପରିଣାମ...!!

ଦୁର୍ବିନୀତ ବିଦେଶୀଙ୍କ

ଦୁର୍ନିବାର ଅପକର୍ମ ଦ୍ୱାରା

ପ୍ରହତ ପ୍ରତିଫଳ........ !!


ହୁଏତ ;

ପ୍ରକୃତି,ପୃଥିବୀ ଆଉ

ମଣିଷ ଭିତରେ ଥିବା

ଅସମାନ୍ତରାଳ କଳ୍ପନା, 

ଆଉ,ଅପରିଣାମଦର୍ଶୀ

ଅନ୍ଧ ଅଭିଳାଷର ବିଷଫଳ !!


ମୁଷ୍ଟିମେୟ ,

ଅଦୃଶ୍ୟ ପ୍ରତାରଣାର 

ଅତର୍କିତ ପ୍ରତିଧ୍ୱନି......!!

ସମୁଦ୍ରମନ୍ଥନର ଅତିରିକ୍ତ 

ଲୋଭ ଆଉ ଲାଳସା , 

ବିଷୋଦ୍ଗାରର ଅସହାୟ, 

ଅନ୍ତିମ ପର୍ଯ୍ୟାୟ !!


ମଧୁକୁଲ୍ୟା 

ପାଇବା ଆଶାରେ...

ଶୀତାର୍ତ୍ତ ଶୀତାଦ୍ରି ବକ୍ଷେ

ଅନାହୂତ ରକ୍ତଚରର

ଅତର୍କିତ ଅନୁପ୍ରବେଶର

ସ୍ୱାଗତିକା.... !!


ମଣିଷର... 

ପର୍ଯ୍ୟାପ୍ତ ଆକାଂକ୍ଷା,

ଅପରିସୀମ ପିପାସାର 

ଅପ୍ରତ୍ୟକ୍ଷ ପରିଣାମ ନୁହେଁ ତ... !!


ଇତିହାସ କହେ...

ଜଗତ କଲ୍ୟାଣ ପାଇଁ

ପରମାଣୁ ଶକ୍ତିର ଉଦ୍ଭାବନ ।

କିନ୍ତୁ; ମଣିଷର 

ବିଭତ୍ସ ଆକାଂକ୍ଷା,

ଅହେତୁକ ଉଦ୍ଦାମତା,

ଆଉ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀତ୍ୱ

ଧ୍ୱଂସ କରିଥିଲା...

ହିରୋସୀମା ଆଉ 

ନାଗାସାକୀ ସଭ୍ୟତାକୁ ।


ଚୀନ୍...

ଉହାନ୍.... 

ବାଣିଜ୍ୟିକ ଭିତ୍ତିଭୂମି...

ରାତାରାତି ପାଲଟିଗଲା,

ଜୈବିକ ଭୁତାଣୁର ପେଣ୍ଠଶାଳା ।


ଏକଛତ୍ରବାଦର ସ୍ବପ୍ନ...

ବିଶ୍ୱବିଜେତା ହେବାର 

ଉଦ୍ଦାମ ଆକାଂକ୍ଷା.....

ବିଜ୍ଞାନକୁ ନେଇ କ୍ଷମତାତୀତ 

ବିଭତ୍ସ ଅହଙ୍କାରୀ ପଦକ୍ଷେପ

କାହିଁକି ???


ଅନ୍ତର୍ଘାତୀ, 

ବିଶ୍ୱାସଘାତକତା,

ଚରମ ସ୍ୱାର୍ଥର 

ତୀକ୍ଷ୍ଣ ଶରାଘାତ... !!

ସମଗ୍ର ବିଶ୍ୱରେ

ଭୟାବହ ଆତଙ୍କରାଜ... !!

କାହିଁକି ଏ ବର୍ବରତା ?

କାହିଁକି ଏ ନୃଶଂସତା ??

ସମଗ୍ର ବିଶ୍ୱ ଆଜି ଗୃହବନ୍ଦୀ.... !!


ଚାରିଆଡେ 

ଖାଲି ଜର୍ଜର ଚିତ୍କାର ,

ଆଲୋକ ଥାଇ ବି ଅନ୍ଧାରୁଆ,

ଅଙ୍ଗ ଥାଇ ବି ବିକଳାଙ୍ଗ.....

ଜୀବନ ଥାଇ ବି ନିର୍ଜୀବ.....!

ଗଣତନ୍ତ୍ର ଆଜି ଗୃହବନ୍ଦୀ....,

ମେଦିନୀ ଆଜି ମ୍ରିୟମାଣ....

ଚତୁର୍ଦ୍ଦିଗେ ନୀରବ ବିଳାପ..... !!


ହେ ବର୍ବର ବିଦେଶୀ !

ମନେ ପକାଅ ତୁମ

ହୁଏନ୍ ସାଂ,ଆଉ ତାଙ୍କ 

ଭାରତ ଆଗମନ,

ଆର୍ଯ୍ୟଭୂମିରେ

ତାଙ୍କରି ଅଳଙ୍କୃତ ଆତିଥ୍ୟ...!

ଉପହାରରେ 

ନେଇ ଯାଇଥିଲେ

କିଛି ବୌଦ୍ଧ ଗ୍ରନ୍ଥ,ଆଉ

ଅଫୁରନ୍ତ ସ୍ନେହର ସମ୍ଭାର ।

ତାଙ୍କରି ଦାୟାଦ ତୁମେ

ଧିକ୍କାର, ତୁମ ସଂକୀର୍ଣ୍ଣ ପଣକୁ !!


ତୁମେ 

ବିଶ୍ୱାସ ଘାତକ,

ମୁଁ ବିଶ୍ୱ... 

ତୁମେ ସଂକ୍ଷିପ୍ତ ଜାତି...

ମୁଁ ଅପରିସୀମ ଗୋଷ୍ଠୀ...

ତୁମେ ସ୍ୱାର୍ଥକୈନ୍ଦ୍ରିକ,

ମୁଁ ମିତ୍ରବତ୍ସଳ..... !!

ତୁମେ ସର୍ବନାଶର ସ୍ବାକ୍ଷର

ମୁଁ ସର୍ବୋନ୍ନତିର ହସ୍ତାକ୍ଷର... !!

ତୁମେ ବିଦୀର୍ଣ୍ଣ, ମୁଁ ବିସ୍ତୀର୍ଣ୍ଣ..... !!!


ମୁଁ ବେଦଭୂମି

ବୈଦିକ ଭାରତ....

ମେଦିନୀର ମନ୍ତ୍ରମୁଗ୍ଧ ମାଟି... !!

ଅଖଣ୍ଡ ବିଶ୍ୱ ଗୋଲକରେ

ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ

ଗୋଟାଏ ମାତ୍ର 

ସାଙ୍କେତିକ ଧ୍ରୁବ ସତ୍ୟ.... !!

ତୁମ ପରି ବର୍ବର ପ୍ରଜାତି ପାଇଁ

ମୁଠା ମୁଠା ପାଉଁଶ ପ୍ରହାର ।

ଆଉ ବିଶ୍ୱ ଆଗେ

ବିଜୟର ଟୀକା..... !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational