ବଡ଼ ଠାକୁର ହେ
ବଡ଼ ଠାକୁର ହେ


ବଡ଼ ଠାକୁର ହେ ସ୍ଥାନ ପଦେ ଦିଅ
ଗୁହାରି ଶୁଣଟି ମୋର,
ଜୀବନଟି ମୋର ତହରି ଚରଣେ
ସୁଗମଟି ପଥ କର।୧।
ଜୀବନରେ ମୋର ଜ୍ଞାନ ଭରି ଦିଅ
ସତ୍ୟପଥେ ନିଅ ମତେ,
କର୍ମପଥ ହେଉ ନିଃସ୍ୱାର୍ଥେ ଜଡ଼ିତ
ଧର୍ମପଥେ ନିଅ ମତେ।୨।
ରାଷ୍ଟ୍ର କାର୍ଯ୍ୟେ ପ୍ରଭୁ ପ୍ରାଣପଣ ରହୁ
ମନ ରହୁ ଜନହିତେ,
ଗୃହ ଆବଶ୍ୟକ ନିଅଣ୍ଟ ନ ହେଉ
ଗୃହର ମଙ୍ଗଳ ହିତେ।୩।
ନିରୋଗୀ ରୁହନ୍ତୁ ରାଷ୍ଟ୍ରର ଜନତା
ଆଶୀର୍ବାଦ ତାଙ୍କୁ କର,
ଲକ୍ଷ୍ମୀପୂର୍ଣ୍ଣା ହେଉ ରାଷ୍ଟ୍ର ଆର୍ଯାବର୍ତ୍ତ
ଧର୍ମପଥଗାମୀ କର।୪।
ଜନଜନ ପାଇଁ ସବୁ ଦେଇ ଅଛୁ
ରଖି ନାହଁ ପାଶେ କିଛି,
ଚକାନୟନରେ ଦେଖୁ ଅଛୁ ସବୁ
ଲୀଳା କରୁ ଅଛୁ ବାଛି।
୫।
ମୋର ଦରକାର ଚକାନୟନଟି
ନୟନ ପଡୁଟି ନିତ୍ୟେ,
ଅମଙ୍ଗଳ ସବୁ ମଙ୍ଗଳ ହୋଇବ
ତୋ ଚକ୍ଷୁ ପଡ଼ିଲେ ନିତ୍ୟେ।୬।
ଗୁହାରିଟି ପ୍ରଭୁ ଶ୍ରୀଚରଣେ ତୋର
ଭକ୍ତି ନିତ୍ୟେ ରହି ଥାଉ,
କୃପାସିନ୍ଧୁ ପ୍ରଭୁ କୃପା କରି ଦିଅ
ତୋ ଚରଣେ ଭକ୍ତି ଥାଉ।୭।
ଚକାନୟନଟି କର୍ମପଥେ ପଡୁ
ପବିତ୍ର କର ହେ ମନ,
ଧର୍ମପଥେ ପଡୁ ନୟନଟି ତୋର
ଧର୍ମପଥେ କର ମନ।୮।
ଜନସାଧାରଣ ସେବାରେ ଜୀବନ
ଅର୍ପଣଟି କର ପ୍ରଭୁ,
କର୍ମପଥ କର ଶକ୍ତିଶାଳୀ ମୋର
ଶକ୍ତି ଭରି ଦିଅ ପ୍ରଭୁ।୯।
ବଡ଼ ଠାକୁର ହେ ପଦେ ସ୍ଥାନ ଦିଅ
ଗୁହାରି ଶୁଣଟି ମୋର,
ଜୀବନଟି ମୋର ତୋହରି ଚରଣେ
ସୁଗମଟି ପଥ କର।୧୦।