ବୈଶାଖି ଝଡ଼
ବୈଶାଖି ଝଡ଼
ବୈଶାଖି ଖରା ତାତିଗଲା ପରା,
ବାଟଘାଟ ବିଲ ପଡ଼ିଆ
ମିଳିଲାନି ପାଣି ଶୁଖିଗଲା ସବୁ,
ନଈନାଳ, କୂଅ ଗାଡ଼ିଆ ।
ଥକା ମାରିବସେ ବାଟୋଇ ଭାଇଟି,
ଝଙ୍କା ବରଗଛ ମୂଳେ
ପାଣିଟିକେ ପାଇଁ ରହିଥାନ୍ତି ଚାହିଁ,
ଗୋମୁମାନେ ନଈକୂଳେ ।
ଶୋଷେ ଛଟପଟ ପଶୁପକ୍ଷୀ ମାନେ,
ଖରାରେ ହେଲେଣି ହତାଶ
ଉପରବେଳାରେ ଦାଉ ସାଧୁଥାଏ,
କାହୁଁ ଆସି ବୈଶାଖି ବତାଶ ।
ପାଦ ପୋଡ଼ିଯାଏ ନଈ ବାଲିରେତ,
ନିଛାଟିଆ ଖରାବେଳରେ
ଖେଳେ ମାତିଥାନ୍ତି ତଥାପି ପିଲାଏ,
ତୋଟା ତଳେ ସାଥି ମେଳରେ ।
ଭଲଲାଗେ ଭାରି ଥଣ୍ଡାପାଣି,
ଲସି, କାକୁଡ଼ି, ତରଭୂଜ, ଦହି ପଖାଳ
ଭଲ ଲାଗ ନାହିଁ ତାତିପାଇଁ ରାତି,
ଦିନ ଅବା ସଞ୍ଜ ସକାଳ ।
ଖାଇବା ପିଇବା ଶୋଇବା ରହିବା,
କେଉଁଥିରେ ଶାନ୍ତି ନାହିଁତ
ବୈଶାଖି ଖରା ଖରାପ ଲାଗଇ,
ଏହି କେତେ କଥା ପାଇଁତ ।
