ବାଉଁଶ ରାଣୀ
ବାଉଁଶ ରାଣୀ
ବହି ଆସେ ପ୍ରଶଂସାର ଝଡ଼
କରତାଳିର ବର୍ଷା ଘନ ଘନ,
ଆଚମ୍ବିତ ଅନେକ ଚେହେରାରେ
ଫୁଟି ଉଠେ ଉତ୍ସୁକତାର ଚିହ୍ନ।
ମନ୍ତ୍ରମୁଗ୍ଧ ଜନତାର ଭିଡ଼
ମନୋରଞ୍ଜନର କ୍ଷୁଦ୍ର ଏ ଵେଳାରେ,
ଆହା କହି ମିଛ ଆଶ୍ୱାସନା
ଝରିପଡେ ଅନେକ ଶସ୍ତାରେ।
ପାଖରେ ଥିବା ସର୍ବନିମ୍ନ ମୁଦ୍ରାର
ପ୍ରଦାନରେ କୁଣ୍ଠିତ ପ୍ରୟାସ,
କିଛି ମୁହଁ ଅଣଦେଖା କରି
ଚାଲିଯାନ୍ତି କରି ପରିହାସ।
ଅବୁଝା ଏ ବୃତ୍ତ ଧାରେ ଧାରେ
ସେତେ କିଛି ଗାଢ଼ ଭିଡ଼ ନାହିଁ,
ପ୍ରତିକ୍ଷିତ ଆଖି ଯେତେ ଚାହେଁ
ସେତେ କିନ୍ତୁ କେବେ ମିଳେ ନାହିଁ।
କେନ୍ଦ୍ର ବିନ୍ଦୁରେ କିନ୍ତୁ ଶୁଭେନା ଉଲ୍ଲାସ
ସେଠି ଥାଏ ପେଟ ପାଇଁ ବାଧ୍ୟ ପ୍ରଦର୍ଶନ,
କାହାକୁ ବା ଭଲ ଲାଗେ ଭୋକ !
ରାଣୀ ପଛରେ ଦୁଃଖଟିଏ କରେ ଆତ୍ମଗୋପନ।
