ବାସ୍ନା
ବାସ୍ନା
ଅଙ୍ଗୁରବାଳା ପରିଡ଼ା
ଆସୁଚ ଧୀରେ ଧୀରେ ।
ପବନରେ ଯେମିତି ଆସେ ,
ଦୂର ବନସ୍ତରେ ,
କଞ୍ଚା ଗଛ କଅଁଳିବାର ଗନ୍ଧ ।
ଯେମିତି ଦୂର ଆକାଶରୁ ,
ଓହ୍ଲେଇ ଆସେ ,
ଆସ୍ତେ ଆସ୍ତେ ସକାଳର ରଙ୍ଗ ।
ଯେମିତି ଅଥଳ ଜଳରାଶିରୁ ,
ଭାସି ଆସେ ଆସ୍ତେ ଆସ୍ତେ ,
ଗୋଟେ ଏକାକୀ ଦ୍ୱୀପର କାନ୍ଦଣା ।
ଯେମିତି ନବ ପଲ୍ଲବିତ ,
ଆମ୍ରକୁଞ୍ଜରୁ ଭାସି ଆସେ ,
ବଉଳର ବାସ୍ନା ।
ଥିରି ଥିରି ସଞ୍ଜୁଆ ବାଆରେ ,
ଯେମିତି ପହଁରି ଆସେ ,
ପଡ଼ିଶା ଘର ମାଳତୀ ଲଟାରୁ ,
ମହକି ତସୁ ଗନ୍ଧ ।
ସେମିତି ,ଏଇଠି କେଉଁଠି ଆସି ,
ପହଞ୍ଚିଗଲଣି ତମେ ।
ତମ ପାଦ ଶବ୍ଦରେ ,
ଗଭୀରରୁ ଗଭୀର ହେଉଛି ଘୂର୍ଣ୍ଣି ,
ପବନରେ ତପ୍ତ ତୃଣଭୂମି ,
ଉଷ୍ଣ ପ୍ରସ୍ରବଣ ,
ଅଦୃଶ୍ୟ ଆଶ୍ଲେଷର ,
ସିକ୍ତଶି ହରଣରେ ,
ମେହେନ୍ଦିର ଚିତ୍ରପରି ଆଙ୍କି ହୋଇଯାଏ ,
ଠା’ ଠା’ ମୋହନ ଚୁମ୍ବନ ।