ବାପା
ବାପା
ଚିର ପ୍ରିତୀମୟ ବାପାଙ୍କ ହୃଦୟ
ଶୀତଳ ସେନେହ ଝର,
ଏକମାତ୍ର ସିଏ ସାହା ଦୁନିଆରେ
ଜୀବନର ଆପଣାର |
ପିତା ମାତା ପରା ଚଳନ୍ତି ଠାକୁର
ଆଶୀଷ ଦିଅନ୍ତି ଢାଳି,
ସନ୍ତାନର ସୁଖ ଗୋଟିଏ କାମନା
ହୃଦୟେ ହୁଅନ୍ତି ଭାଳି |
ବିପଦେ ଆପଦେ ତାଙ୍କ ବାହୁତଳେ
ବାପା ଯେ ଦିଅନ୍ତି ଆଶ୍ରା,
ଭରି ସେ ଦିଅନ୍ତି ଅସୀମ ଧଇର୍ଯ୍ୟ
ନୂଆ ନୂଆ କେତେ ଆଶା |
ଜୀବନ ଆକାଶେ ସୂର୍ଯ୍ୟ ସମ ସିଏ
ଦିଅନ୍ତି ଆଲୋକ ଢାଳି,
ସେହି ଆଲୋକରେ ଆଲୋକିତ ପଥେ
ସନ୍ତାନ ଯେ ଯାଏ ଚାଲି |
ପରିଶ୍ରମେ ସିଏ ନୁହଁନ୍ତି କାତର
ହୁଅନ୍ତିନି କର୍ମକ୍ଲାନ୍ତ,
ଏକମାତ୍ର ଚିନ୍ତା ସନ୍ତାନେ ହୋଇବେ
ଦୁନିଆରେ ପରିଚିତ |
ନିଜ ଦୁଃଖ ମାରି ନିଜର ମନରେ
ଓଠରେ ଫୁଟାଏ ହସ,
ସନ୍ତାନର ହସେ ପୁରେ ଯେ ହୃଦୟ
ମନୁ ଭୁଲେ ସବୁ କ୍ଳେଶ |
ସାଗର ପରି ସେ ତରଙ୍ଗୀତ ସଦା
ଆକାଶ ପରି ଗମ୍ଭୀର,
ସାଗର ଆକାଶ ପରି ଯେ ତାଙ୍କର
ହୃଦୟ ଚିର ଉଦାର |
