STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

ବାପା

ବାପା

1 min
306


   


ବାପା ତୁମେ ଆଶାର ସୀମାହୀନ ସାଗର

ଦିଗନ୍ତ ବିସ୍ତାରି ଏକ ସରଳରେଖା

ଶିକ୍ଷା ଓ ଶୃଙ୍ଖଳା ର ମେରୁଦଣ୍ଡ ତୁମେ

ପୁଣି ସ୍ନେହ ମମତାର ଏକ ମହନୀୟ ମନ୍ଦିର |


ତୁମକୁ ନେଇ ଶୈଶବର ଯେତେ ସ୍ବପ୍ନ

ତୁମର ସେ ତ୍ୟାଗ ଓ ଉତ୍ସର୍ଗର ପରାକାଷ୍ଠା

ଆମକୁ ବଡ଼ରୁ ବଡ଼କରି ଗଢି ତୋଳି ବାର

ଯେଉଁ ପ୍ରଗାଢ଼ ପ୍ରଚେଷ୍ଟା

ପ୍ରମାଣିତ କରେ ତୁମ ଅଦମ୍ୟ

ସାଧନାର ପରିଭାଷା |


ମୁଣ୍ଡ ଝାଳ ତୁଣ୍ଡରେ ମାରି

ଦିବାନିଶି ଏକ କରି

ଯୌବନରୁ ଯୂଈ ପର୍ଯ୍ୟନ୍ତ

ପୂରା କରିଛ ସନ୍ତାନର ଆଶା

ଦେଇଛ ଏକ ନିବିଡ଼ ପରିଚୟ |


'ବାପା 'ଦୁଇଟି ଅକ୍ଷର

ଏକ ଅପରାଜେୟ ଶବ୍ଦ

ବାୟୁ ଠାରୁ ବ୍ୟାପକ ପୁଣି

ପାଣିଠୁ ପ୍ରଶସ୍ତ

ସଂସାର ଦେଉଳରେ ତୁମେ

ନୀଳକଣ୍ଠ ସାଜି

ସନ୍ତାନ ମୁଖରେ ପିୟୁଷ ଦେଇ

ପାନ କରିଛ ଗରଳ |


ବିରାଟ ଏକ ବଟ ବୃକ୍ଷ ସମ

ଶାଖା ପ୍ରଶାଖା ମେଲି

ପ୍ରଦାନ କରିଛ ସୁଶୀତଳ ଛାୟା

ଅୟୁତ ଆଶାର ସୀମା ସରହଦ ଡେଇଁ

ଉନ୍ମାଦ ହେଇଛ, ସଂଘର୍ଷ କରିଛ

ଜୀବନ ଜୀବିକା ସହ

ନିଜକୁ ଭୁଲିଛ ତୁମେ

ନିଜ ଶରୀର କୁ କ୍ଳେଶ ଦେଇ

ନିରୁତା ନିଷ୍ଠାରେ ବଢ଼ାଇଛ

କୃତିତ୍ୱ ଆମର

ହେଲେ ପାଇଛ କଣ ??


ଜୀବନ ର ସବୁ କିଛି ହଜାଇ ଦେଲା ପରେ

ତୁମର ସେ ସାତ ସିଆଁ ଗାମୁଛା ଟି

ଆମ ଶରୀରରୁ ସ୍ବେଦ ପୋଛିବାର

ଶେଷ ଭରସା |


ଏନ୍ତୁଡ଼ିଶାଳରୁ ପିତୃତ୍ୱ ର ସୌରଭ ରେ

ସୁଗନ୍ଧିତ ମନ ପ୍ରାଣ ତୁମର

ହାତ ଧରି ଦୁନିଆ ଦାଣ୍ଡରେ ଚାଲି

ଶିଖାଇବାର ପ୍ରତିଶ୍ରୁତି ଓ ପ୍ରେରଣା

ସବୁ ଧୂଳିସାତ ହେଇଛି

ସନ୍ତାନ ର ସଫଳତାରେ,

ପ୍ରବଞ୍ଚନାରେ, ବିଶ୍ୱାସ ଘାତକତାରେ |


ଵୃଦ୍ଧାଶ୍ରମରେ ଫିଙ୍ଗିଦିଆଯାଇଛି

ତୁମର ସେ ସରଳ ପିତୃତ୍ୱ କୁ,

ପ୍ରତାରଣାର ପ୍ରତିଶ୍ରୁତିରେ ଦଗ୍ଧ ତୁମେ

ତଥାପି.... ତଥାପି ତୁମେ ହାତ ଯୋଡୁଛ

ହେ ଈଶ୍ୱର! ମୋ ପିଲାଙ୍କୁ ଭଲରେ ରଖ |


କେଡ଼େ ମହନୀୟ ତୁମେ ବାପା!

କି ବିଶାଳ ହୃଦୟ ତୁମର!

ତୁମକୁ କୋଟି ନମସ୍କାର ବାପା

ତୁମକୁ କୋଟି ନମସ୍କାର,


ସମାଜ ରେ ତୁମ ଭଳି ଅନେକ ବାପା

ଏଇ ଭଳି ଦୁଃଖ ଯନ୍ତ୍ରଣା ରେ ଜର୍ଜରିତ

ଆତ୍ମଜଙ୍କ ଅତ୍ୟାଚାରରେ

ଦାରୁ ହୋଇ ମୂର୍ତ୍ତି ନୁହେଁ ମୃତ୍ୟୁ କୁ

ଅପେକ୍ଷା ରତ......ମୃତ୍ୟୁ କୁ ଅପେକ୍ଷାରତ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational