STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବାଣୀପୁତ୍ର ଗଦାଧର ସିଂହସାମନ୍ତ 7

ବାଣୀପୁତ୍ର ଗଦାଧର ସିଂହସାମନ୍ତ 7

2 mins
13.5K


..................୭......................

କାବ୍ୟ,କବିତା,ସଂଗୀତ ଓ ସାହିତ୍ୟ ପ୍ରେମୀ ବନ୍ଧୁ ମାନଙ୍କୁ ମୋର ସାରସ୍ବତ ପ୍ରଣାମ।ଗଦାଧର ସିଂହସାମନ୍ତଙ୍କୁ ଆପଣ ଭୁଲିଯାଇ ନାହାନ୍ତିତ?ପ୍ରଚାର ଓ ପ୍ରସାର ଅଭାବରୁ ଏହି ମହାନ୍ ବାଣୀ ବରପୁତ୍ରଙ୍କର ପ୍ରତିଭା ବଣମଲ୍ଲୀର ସୌରଭ ପରି ବଣରେ ହିଁ ସୀମିତ ରହିଛି।ଆପଣଙ୍କ ସ୍ମୃତି ଉଦ୍ଜୀବିତ କରିବାକୁ ଗଦାଧରଙ୍କର ପରିଚୟ ଆଉଥରେ ଦେଉଛି।

ଗଦାଧର ସିଂହ ସାମନ୍ତ ଥିଲେ ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର।୧୮୭୭ ମସିହାରେ ତାଙ୍କର ଜନ୍ମ ଏବଂ୧୯୬୪ ମସିହାରେ ତିରୋଧାନ। ଜ୍ୟୋତିଷ ଶାସ୍ତ୍ରରେ ପ୍ରବୀଣ ଗଦାଧର ବାକ୍ୟଦେବୀଙ୍କ କୃପାରୁ ସୁନ୍ଦର ଭଞ୍ଜଯୁଗୀୟ ଏବଂ ରୀତିଯୁଗୀୟ ସଂଗୀତ ରଚନା କରି ଯାଇଛନ୍ତି।ଆଜି ମଧ୍ୟ ପାଲାକାର,ଦାସକାଠିଆ ଗାୟକ,ଢୁମ୍ପା ସଂଗୀତ ଗାୟକ ଇତ୍ୟାଦିଙ୍କ କଣ୍ଠରେ ବଞ୍ଚି ରହିଛନ୍ତି ଗଦାଧର।ତାଙ୍କର କୃତି "ପ୍ରବନ୍ଧ ପଞ୍ଚାମୃତ" ନାମକ ଗ୍ରନ୍ଥ(ପ୍ରଥମ ଭାଗ ଓ ୨ୟଭାଗ) ବହୁବର୍ଷ ପୂର୍ବେ ପ୍ରକାଶିତ ହୋଇଥିଲା,ଯାହା ଏବେ ଦୁଷ୍ପ୍ରାପ୍ୟ।

ଗଦାଧରଙ୍କ କୃତିକୁ ଲୋକ ଲୋଚନକୁ ଆଣିବାର ଅଧୀନର ଏ ପ୍ରୟାସକୁ ଆପଣମାନଙ୍କ ସମର୍ଥନ ଆବଶ୍ୟକ।ମୋର ଏତେ ସାରସ୍ବତ ପ୍ରେମୀ ବନ୍ଧୁ ଥିଲେ ମଧ୍ୟ,ମାତ୍ର ୧୫ ବା ୨୦ ଜଣଙ୍କ ଠାରୁ ମତାମତ ମିଳୁଛି ବା ପଠନ ସୂଚନା ମିଳୁଛି।ଅନୁରୋଧ,ଆପଣ ଯେବେ ପ୍ରକୃତରେ ପଢୁଛନ୍ତି,ଦୟାକରି ମତାମତ ନଦେଲେ ମଧ୍ୟ,ସୂଚନା(like)ଦିଅନ୍ତୁ।ତାହା ମୋତେ ଗଦାଧରଙ୍କ କୃତି ବିଷୟରେ ଅଧିକ ଜଣାଇବା ପାଇଁ ଉତ୍ସାହିତ କରିବ।ଆମ୍ଭମାନଙ୍କର ଶାସ୍ତ୍ରୀୟଭାଷା ମାନ୍ୟତା ପ୍ରାପ୍ତ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଏହା ଏକ ସୁନ୍ଦର ପ୍ରୟାସ ହେବନାହିଁ କି?

ଆଜି ଆସନ୍ତୁ ଗଦାଧରଙ୍କ ରଚିତ ସୁନ୍ଦର ଚଉପଦୀଟିଏ ପଢିବା।

******************************************

ରାଧାଙ୍କ ପ୍ରତି କୃଷ୍ଣ

.........................

ସୁନ୍ଦରୀ,ହେଲି କି ସନ୍ଦିହାନରେ,

ତୋର ଏ ମାନ କି ମୋର ସମ୍ମାନରେ।0ା

ମୋଡିଲୁ ଯାହା ତୋ ଶ୍ରୀମୁଖ ବିମ୍ବ,

ଲୋଡିଲୁ କି ଗଣ୍ଡେ ଚୁମ୍ବ କଦମ୍ବ।୧।

ଆଜି ଫିଟାଇଛୁ କୁନ୍ତଳ ଶ୍ରେଣୀ,

ସାଜିବୁ ବୋଲି କି ମୋ କରେ ବେଣୀ।୨।

ଧନ ଧରା ଚିରୁ କରଜେ କେତେ,

ସ୍ତନଲେଖା ଶିଖାଉଛୁ କି ମୋତେ?।୩।

ଚାରୁ ଚିବୁକରେ ତର୍ଜନୀ ଦାନେ,

ଠାରୁ କି ମୋତେ ବିମ୍ବାଧର ପାନେ?।୪।

ସାର ପଦେ ହେଲେ ତୁ ନ ଜଳପୁ,

ମାର ପରାଜୟ ମନ୍ତ୍ର କି ଜପୁ?।୫।

ହେଜିଲୁ କି ଅବଧାନେ ମୋ ଅଙ୍କ,

ତେଜିଲୁ ଅପୂର୍ବ ରତ୍ନ ପଲଙ୍କ।୬।

ଯାଉ ଗଦାଧର ସିଂହ ଦୁର୍ଗତି,

ଆଉ ନଦେଖା ଏ ମାୟା ମୂରତି।୭।

******************************************

ଟୀକା

...........

ଶ୍ରୀକୃଷ୍ଣ ଅଭିମାନିନୀ ଶ୍ରୀରାଧାଙ୍କୁ କହୁଛନ୍ତି "ରେ ସୁନ୍ଦରୀ! ମୁଁ ସନ୍ଦେହରେ ପଡିଛି,ତୁ ଯେଉଁ ଅଭିମାନ କରିଛୁ,ତାହା ତୋର ଅଭିମାନ କି ମୋର ସମ୍ମାନ।କାରଣ ତୋର ଅଭିମାନର ଢଙ୍ଗ ମୋତେ ଅନ୍ୟକିଛି ନିର୍ଦେଶ ଦେଉଛି।ତୁ ତୋର ଶ୍ରୀମୁଖବିମ୍ବକୁ ମୋଡିଲୁ କି ମୋଠାରୁ ଚୁମ୍ବନ ସମୁହ(ଚୁମ୍ବ କଦମ୍ବ) ଲୋଡିଲୁ,ତାହା ମୁଁ ଜାଣି ପାରୁନାହିଁ(୧)

ଆଜି ତୁ କେଶରାଶି(କୁନ୍ତଳ ଶ୍ରେଣୀ) ଅଭିମାନରେ ଫିଟାଇଛୁ ନା ମୋ ହାତରେ ବେଣୀ ବାନ୍ଧିବାପାଇଁ ମୋତେ ନିର୍ଦ୍ଦେଶ ଦେଉଛୁ,ମୁଁ ଜାଣି ପାରୁନାହିଁ।୨।

ରେ ଧନ! ତୁ ଆଜି ନଖ(କରଜ)ଦ୍ବାରା ଧରା ବା ଭୂମିକୁ ଚିରୁଅଛୁ।ତୁ ମତେ ତୋର ସ୍ତନରେ ରେଖାଙ୍କନ ଶିକ୍ଷା ଦେଉ ନାହୁଁତ?।୩।

ତୋର ସୁନ୍ଦର(ଚାରୁ)ଓଷ୍ଠରେ(ଚିବୁକ)ବିଶି ଆଙ୍ଗୁଳି(ତର୍ଜନୀ)

ରଖିଛୁ ନା ତୋର ବିମ୍ବାଧର ପାନ କରିବା ପାଇଁ ମୋତେ ନିର୍ଦ୍ଦେଶ ଦେଉଛୁ,ମୁଁ ଜାଣି ପାରୁ ନାହିଁ।୪।

ତୁ ସାର କଥା ପଦେହେଲେ କହୁନାହୁଁ(ଜଳପୁ)।ମୁଁ କଣ ଭାବିବି?ତୁ କନ୍ଦର୍ପର(ମାର) ପରାଜୟ ମନ୍ତ୍ରକୁ ମନେ ମନେ ଜପୁଛୁକି?।୫।

ତୁ ଅପୂର୍ବ ରତ୍ନ ପଲ୍ୟଙ୍କକୁ ତ୍ୟାଗ କରିଛୁ କି ମୋ ଅଙ୍କପଲଙ୍କକୁ ଆସିବାକୁ ଚାହୁଁଛୁ,ମୁଁ ସନ୍ଦେହରେ ପଡିଛି।।୬।

ଧନ! ତୁ ଆଉ ଏ ମାୟା ରୂପ ନଦେଖାଇ ,ସୁନ୍ଦର ରୂପ ଦର୍ଶନ କରାଇ ଗଦାଧର ସିଂହର ଦୁର୍ଗତି ଦୂର କର।

******************************************

କ୍ରମଶଃ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics