ବାଣ
ବାଣ
ଦୀପାବଳି ହେଲେ ବାଣ ଫୁଟା ଯାଏ
କେତେ ମଜା ଲାଗୁ ଥାଏ
ଆଲୋକର ପର୍ବ ଏଇ ଦୀପାବଳି
ମନେ ଖୁସି ଭରି ଦିଏ ।
ଘରେ ଘରେ ଦୀପ ଲଗା ଯାଇଥାଏ
ପିଠା ପଣା କେତେ ହୁଏ
ବାଣ ପାଇଁ କିଏ ଅଳି କରୁଥାଏ
କିଏ ପୁଣି କାନ୍ଦୁ ଥାଏ ।
କାଉଁରିଆ ସାଥେ ନଇ ଭିଡା ଯାଏ
ବାଳୁଙ୍ଗାକୁ ଯୋଡି ବାନ୍ଧି ଦିଆ ହୁଏ
ପିମ୍ପେଇ ଯେ ଡକା ହୁଏ।
ବାଣ କେତେ ଫୁଟା ଯାଏ ।
ଚକ୍ରି, କୁମ୍ପି ବାଣ କେତେ ଯେ ଆଣନ୍ତି
ଆଣନ୍ତି ତାଳ ଫୋଟକା
ଲଙ୍କା ବାଣ ମାରି ଦାଣ୍ଡ ଦୁଲୁକାନ୍ତି
ଏଇ ଆମ ସାଇ ଟୋକା ।
ନଡିଆ ବାଣରେ କାନ ସ୍ତବ୍ଧ ହୁଏ
ଛାତିରେ ଚମକ ଆସେ
ହାବେଳି ବାଣ ଯେ ଆକାଶେ ଧାଇଁ
ଫୁଟି ତଳକୁ ସେ ଖସେ ।
ବାଣ ପରେ ବାଣ ମରା ଚାଲି ଥାଏ
ଗାଆଁ ଦାଣ୍ଡ କାଗଜରେ ଉଡୁଥାଏ
କେତେ ଖୁସି ଲାଗୁ ଥାଏ
ବାଣ ଖାଲି ମରା ଯାଏ ।
ରାତି ପାହିଗଲେ ସକାଳ ହୋଇଲେ
ପିଲାମାନେ ଧାଇଁ ଥାନ୍ତି
କାଗଜ ଭିତରୁ ଭଲ ବାଣ ଦେଖି
ଗୋଟାଇ ନେଇଣ ଯାନ୍ତି ।
ସବୁ ବାଣ ଯାକ ଏକାଠି କରିଣ
ଖରାରେ ଶୁଖାଏ ଥାନ୍ତି
ବାରୁଦ ସାଥିରେ ଗୁଡି ଭର୍ତ୍ତି କରି
ବାଣ ସିଏ ମାରି ଥାନ୍ତି ।
ବାଣ ମାରିବାଟା ବିପଦ ବହୁତ
ଅସାବଧାନରେ ଜୀବନ ନିପାତ
ଅଙ୍ଗ ନଷ୍ଟ କରି ଦିଏ ।
ବାଣେ ଭଲ ମନ୍ଦ ଗତି ଥାଏ ।
ଟୁ ସଟ୍, ଗୋଲି ଫୋଟକା, ବମ୍
ଛାତି ଦଲୁକେଇ ଦିଏ
କାଗଜର ବମ୍ , ସ୍କାଏ ସଟ୍ ବାଣ
ଦେହକୁ ଥରେଇ ଦିଏ ।
ସିରି ସିରି , ଝିଲି ମିଲି ବାଣ ଧରି
ପିଲା ମାନେ ମାରୁଥାନ୍ତି
ଟୁ ସାଉଣ୍ଡ ବ
ାଣ ନିଦ ଭାଙ୍ଗି ଦିଏ
ତାଳି ମାରି ହସୁ ଥାନ୍ତି ।
ରକେଟ୍ ବାଣଟି ଆକାଶକୁ ଯାଏ
ସାରା ଗାଆଁ ମାଟି ଚମକେଇ ଦିଏ
ବାଣେ ଖାଲି ଫୁଟୁ ଥାଏ ।
ଭାରି ମଜା ଲାଗୁ ଥାଏ ।
ଗଙ୍ଗା ଯମୁନାର ବାଣ ଆବାଜରେ
ଗାଆଁ ଦୁଲୁକିଣ ଯାଏ
ଆକାଶ ବମ୍ ର ଶଦ୍ଦଟା ଏମିତି
ସତେ ଘଡ ଘଡି ହୁଏ ।
କିଟ୍ କାଟ୍ କଥା ନ କହିବା ଭଲ
ଛାତିକୁ ଥରେଇ ଦିଏ
ସୁତୁଲି ବମ୍ କୁ ଭିଆଇପି ବମ୍
ଗାଆଁ ଊଠୁ ପଡୁ ଥାଏ ।
ବାଣ ମାରିବାଟା ଯେତେ ଲାଗେ ଖୁସି
ସତର୍କ ନ ହେଲେ ବିପଦ ଯେ ଆସି
ଅଙ୍ଗ ନଷ୍ଟ କରି ଦିଏ ।
ବାୟୁ ପ୍ରଦୂଷଣ ହୁଏ ।
ବାହାଘର ବେଳେ ବର ଆସି ଗଲେ
ଗାଆଁ ମୁଣ୍ଡେ ବାଣ ମାରେ
ବାଣ ଶଦ୍ଦ ଯେବେ କାନରେ ଶୁଣଇ
କନିଆଁ ଗାଧାଏ ବାରେ ।
ବ୍ୟାଣ୍ଡ୍ ବାଜା ସଥେ ବାଣ ଫୁଟୁ ଯାଏ
ବର ଗାଆଁ ଦାଣ୍ଡେ ଯାଏ
କନିଆଁଟି ତାର ସଜବାଜ ହେଇ
ଛାତ ପରେ ଦେଖୁ ଥାଏ ।
ପିଲାମାନେ କେତେ ସୁନ୍ଦର ନାଚନ୍ତି
ଧାଇଁ ଯାଇ ବାଣ ଗୋଟାଇ ଆଣନ୍ତି
ପୁଣି ବାଣ ମାରେ କିଏ ।
କେତେ ମଜା ହେଉଥାଏ ।
ଦେବ ଆସୁରଙ୍କ ଯୁଦ୍ଧ ସମୟରେ
ବାଣ ପରେ ବାଣ ବୃଷ୍ଟି
ବାଣର ପ୍ରକୋପ ଶୂନ୍ୟ ଆକାଶରେ
ଅଶୁଂମାଳି ଯେ ଅଦୃଷ୍ଟି ।
ଚାରି ଯୁଗେ ଯୁଦ୍ଧ ଯୁଦ୍ଧରେ ଯେ ବାଣ
ବିନ୍ଧି ଥାନ୍ତି ପରସ୍ପର
ବାଣର ମହିମା କେ ବର୍ଣ୍ଣି ପାରିବ
ସେତ ଅନେକ ପ୍ରକାର ।
ଗୁଣି ଗାରେଡିରେ ବାଣ ମରାଯାଏ
ପୂଜା ମନ୍ତ୍ର ପାଠେ ବାଣ ବି ତ ଥାଏ
ଯିଏ ଯେଉଁ ମାର୍ଗେ ଯାଏ
ବାଣ ସେଇ ଉପାଧି ଯେ ପାଏ ।