STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ବାଳିକା ଶିଶୁ

ବାଳିକା ଶିଶୁ

1 min
253


ବାଳିକା ଶିଶୁଟେ ମୁହିଁ  

ଭଲମନ୍ଦ ଜାଣିନାହିଁ

ଏତେ ହତାଦର କିମ୍ପା କର ମୋ ପାଇଁ

କନ୍ୟା ହେଲି ବୋଲି ମୁହିଁ

ଏତେ ନିର୍ଦ୍ଦୟ କିମ୍ପାଇଁ

ଏତେ ବଡ ଅବିଚାର କର ମୋ ପାଇଁ।।

ପୁଅପରି ମୁହିଁ ଅଟେ

 ତୁମ ସମ୍ଭୋଗ ପ୍ରସୂତ

ପାଇଛ କି କମ୍ ସୁଖ କହ ମୋ ପାଇଁ

ସରଳ ନିଷ୍ପାପ ମୁହିଁ

କିଛି ଭୁଲ କରିନାହିଁ

ଏଡେ ନିରିଦୟ ତୁମେ ହୁଅ କିମ୍ପାଇଁ?

ଝାନସୀରାଣୀ ଲକ୍ଷ୍ମୀ ବାଈ

ବାଙ୍କୀ ରାଣୀ ଶୁକଦେଈ

ଦୁର୍ଗା ଲକ୍ଷ୍ମୀ ସରସ୍ବତୀ ସୀତା ସାବିତ୍ରୀ

ରାଣୀ ଦୁର୍ଗାବତୀ ପରି 

କେତେ ମହନୀୟା ନାରୀ

କନ୍ୟା ହୋଇ ବି ଇନ୍ଦିରା ପ୍ରଧାନ ମନ୍ତ୍ରୀ।।

ବ୍ରିଟେନର ମହାରାଣୀ

ଦେଶେ ନାରୀ ଶିରୋମଣି

ସେହି ଦେଶେ ମାର୍ଗାରେଟ୍ ପ୍ରଧାନ ମନ୍ତ୍ରୀ

ଲଙ୍କାଦେଶେ ଶିରିମାଭୋ

ନିଜ ପରାକାଷ୍ଠା ବଳେ

ହୋଇପାରିଥିଲେ ଦିନେ ପ୍ରଧାନ ମନ୍ତ୍ରୀ।।

ଝିଅ ମଧ୍ୟ ପୁଅ ପରି 

ପାରେ ସବୁ କର୍ମକରି

କମ୍ ନୁହେଁ ସେ କୌଣସି ଗୁଣର ଜାଣ,

ପାଠ ଶାଠ ପଢି ବଢି 

ହୋଇପାରେ ମନ୍ତ୍ରୀ ତନ୍ତ୍ରୀ

ଯନ୍ତ୍ରୀ ହୋଇ କରିପାରେ ରାଷ୍ଟ୍ର ନିର୍ମାଣ।।

ତେଣୁ ଶୁଣ ନର ନାରୀ

ହୁଅନା କନ୍ୟା ଭଗାରି

ଦିଅନାହିଁ ଆଉ କନ୍ୟା ଭ୍ରୁଣକୁ ମାରି

ବାଳିକା ଶିଶୁକୁ ନେଇ

ଫିଙ୍ଗି ଦେଇ ଆସନାହିଁ

ଯତନେ ତାକୁ ବଢାଅ ପୁଅଙ୍କ ପରି।।

ପୁଅ ବାହାଘର କରି

ବୋହୂଟିଏ ଆଣ ଯେବେ

ପୁଅ ତୁମ ହୋଇଯାଏ ଜାଣ ତାହାରି

କନ୍ୟା ତୁମ ସବୁବେଳେ

ତୁମ ଚିନ୍ତା କରିଥାଏ

ପୁଅ ହୋଇ ପାରିବନି ଝିଅର ପରି।।

ଜନନୀ ଭଗିନୀ ଜାୟା

ନିଭାଏ ନା ନା ଭୂମିକା

ଅଟେ ସେ ଦୁହିତା ଦୁଇ କୁଳକୁ ହିତା

ପ୍ରୀତି ମନ୍ଦାକିନୀଧାରା

ସ୍ନେହମୟୀ ବସୁନ୍ଧରା

ନାରୀ ଅଟେ ମହନୀୟା ସଦା ପୂଜିତା।।

ତେଣୁଆହେ ସୁଧି ଜନ

ଶୁଣ ଦେଇ ମନ କର୍ଣ୍ଣ

ହତ୍ୟା କରନାହିଁ ତୁମେ କନ୍ୟାର ଭ୍ରୂଣ

କର ତୁମେ ତାର ଯତ୍ନ

ଲାଭକର କନ୍ୟାରତ୍ନ

ବାଳିକା ଶିଶୁର କର ଆଦର ଯତ୍ନ।।

ଶୁଣ ହେ ଲମ୍ପଟଗଣ

ଛାଡ ହେ ଲମ୍ପଟ ପଣ

କରନାହିଁ ବାଳିକାର ଯୌନ ଶୋଷଣ

ସଂସାରକୁ ବୁଝିନାହିଁ

ନିର୍ଯ୍ୟାତନା ଦିଅନାହିଁ

ଦିଅନାହିଁ ତାକୁ ଆଉ ତୁମେ କଷଣ।।

ତା'ର ଜୀବନ ସୁରକ୍ଷା

ଇଜ୍ଜତର କର ରକ୍ଷା

ମନପ୍ରାଣ ଦେଇ କର ତାର ପାଳନ

ବାଳିକା ଶିଶୁ ଭାବିଣ

କରନାହିଁ ହେୟ ଜ୍ଞାନ

ପୁଅପରି ବୃଦ୍ଧକାଳ ନେବ ଯତନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational