ବାଲି ତୃତୀୟା
ବାଲି ତୃତୀୟା


ଭାଦ୍ର ଶୁକ୍ଲପକ୍ଷ ତୃତୀୟା ତିଥିରେ
ଯାଇ ନିଘଞ୍ଚ କାନନ,
ଦକ୍ଷ ରାଜ-କନ୍ୟା ବାଲି ଲିଙ୍ଗ ଗଢି
ପୁଜିଥିଲେ ତ୍ରିନୟନ । [୧]
"ବିରୁପାକ୍ଷ, ହର, ସ୍ୱୟଂମ୍ଭୁ ,ଶଙ୍କର,
ଶିବ, ପ୍ରଥମ ଈଶ୍ବର,
ସିଦ୍ଧନାଥ; ବାଣେଶ୍ୱର, ଲୋକନାଥ,
ବିଶ୍ୱେଶ୍ୱର, ଯୋଗେଶ୍ୱର। [୨]
ଚନ୍ଦ୍ରଚୂଡ଼, ଗଙ୍ଗାଧର, ଶମ୍ଭୁନାଥ,
କୃତିବାସ, ଲୋକନାଥ,
ପରଂବ୍ରହ୍ମ, ନୀଳକଣ୍ଠ , ଦିଗମ୍ବର,
ରୁଦ୍ରେଶ୍ୱର, ଭୂତନାଥ । [୩]
ପାଞ୍ଚିଛନ୍ତି ତାତ, ବିଷ୍ଣୁଙ୍କର ସାଥେ
ରଚିବାକୁ ପରିଣୟ ,
କୁହ କିପରି ମୁଁ ଆନର ହୋଇବି
ଦେଇ ତୁମକୁ ହୃଦୟ ? [୪]
କାମିନୀ-କାଞ୍ଚନ ବିରାଗୀ ଯୋଗୀ ହେ!
ତୁମରି ସଂଯୋଗ ହେଜି,
ବିଳାଶ-ବ୍ୟସନ, କାମନାର ସୁଖ,
ସବୁ ଦେଇଅଛି ତେଜି । [୫]
ଆହେ ମହାଯତି! ତୁମରି ସ୍ୱତନ୍ତ୍ର-
ବିଶେଷ ଗୁଣର ଲାଗି ,
ତୁମ ଜୀବନରେ ଏକଇ ରମଣୀ
ହେବାକୁ ଚାହେଁ ଅଭାଗୀ। [୬]
କାୟା ମନୋବାକ୍ୟେ, ଛାଇ ହୋଇ ପାଶେ
ରହିବି ମୁଁ ଯୁଗ ଯୁଗ ,
ଅନୁଗ୍ରହେ ପ୍ରଭୁ ଏ ଦାସୀର ଭର୍ତ୍ତା-
ହେବାର ମିଳୁ ସୁଯୋଗ । [୭]
ଇଚ୍ଛାମୟ ଶିବ, ସର୍ବଜ୍ଞ ପୁରୁଷ,
ଶରଣ ରକ୍ଷଣ ଦାତା,
ଅକର୍ମ ଦାନି ହେ! ଭୋଳା ମହେଶ୍ୱର
ପରିତ୍ରାଣର କରତା । [୮]
ଅସାର ଜୀବନ ତୁମ ଶ୍ରୀପୟରେ
କରିଅଛି ସମର୍ପଣ,
ଅନୁଗ୍ରହ ବିନା ଅର୍ଣ୍ଣ ଛୁଇଁବିନି
ଗଲେ ଯାଉ ଏ ଜୀବନ। " [୯]
ଆତ୍ମିକ ଭକ୍ତିରେ କୈଳାଶ କମ୍ପିଲା
ତୋଷ ହେଲେ ବାବା ହର,
ବିବାହ ବନ୍ଧନେ ଛନ୍ଦି ହୋଇ ଯୋଗୀ
ଗଢିଲେ ସୁଖୀ ସଂସାର । [୧୦]
ଶକତି ସହିତ ଈଶ୍ବର ରହିଲେ
ଅର୍ଦ୍ଧ ନାରୀଶ୍ୱର ହୋଇ ,
ବାଲି ତୃତୀୟାର କିମ୍ବଦନ୍ତୀ କଥା
ଈଶ୍ବର, ସତୀଙ୍କୁ ନେଇ । [୧୧]