ମହକ
ମହକ
ତୁମେ ତ କୁହୁକ ଚନ୍ଦ୍ର ଆକାଶର
ସରସ୍ୱତୀ ପୁତ୍ର ଅବା ,
ତୁମ ସାଧନାର ସୀମା ଅନ୍ତ ନାହିଁ
ତୁମେ ଜ୍ୟୋତିର୍ମୟ ଆଭା !
ତୁମେ ଅସାମାନ୍ୟ କହେ ମୋର ମନ
ତୁମ ସ୍ନେହୁଁ ମାଗେ ଭାଗ ,
ବଢିଛି ବଢିବ ସମ୍ଭାଳି ରଖନା
ତୁମ ପ୍ରତି ଅନୁରାଗ ।
ହୃଦୟରେ ଭରି ଯାହାତ ଦେଇଛ
ପୂଜିବି ମୁଁ କାଳ କାଳ ,
ତୁମରି ପ୍ରେରଣା ଭରୁଛି ଜୀବନେ
ନୂଆ ବାଟ ଦେଖାଇଲ ।
ଚାଲିଲି ଚାଲିବି ଚଳୁଥିବି ଏବେ
ତୁମ ପଥ ଅନୁସରି ,
ଜୀବନ ନାୟକ ଦିଅ ଆଶୀର୍ବାଦ
ନଉକା ହେଉ ମୋ ପାରି ।
ନାମଟିଏ ମୋତେ ଆଜି ଦେଇ ଦିଅ
ମୋ ସମର୍ପଣର ଗାଥା ,
ଗାଉଥାଉ ବିଶ୍ୱ ପଡୁଥାଉ ହୂରି
ବଢୁ ତୁମର ପ୍ରତିଷ୍ଠା ।
ଉପେକ୍ଷିତ ଏହି ଜୀବନ ଜଂଜାଳେ
ହୋଇ ପଦ୍ମ ପୁଷ୍ପ ଏକ ,
ଭରି ଦେଲ ମୋ ଠି ମିଠା ସପନକୁ
ଅଛି ତୁମଠି କୁହୁକ ।

