ଅଶ୍ରୁଳ ବିଦାୟ
ଅଶ୍ରୁଳ ବିଦାୟ
ବଡ଼ପଣ କେତେ ବଖାଣି ବସିଲେ
ସବୁ ଲାଗୁଥାଏ ଉଣା
ବାପା ଡାକେ ଯେଉଁ ସ୍ୱର୍ଗୀୟତା ଯୋଡ଼ା
ସଭିଙ୍କୁ କରେ ସେ ବଣା ।
ବିଶ୍ୱାସ ବଳୟେ ବାନ୍ଧି ପରିବାର
ରଖିଥାଏ ଏକ କରି
ସଂସାର ରଥର ରଥୀ ଓ ସାରଥି
ଚାହେଁ ନାହିଁ ପଛେ ଫେରି
ଚିନ୍ତା ଚେତନାରେ ଜଳି ଜଳି ନିଜେ
ରାତି ରାତି ଜାଗି କେତେ
ଲହୁ ଲୁହ ଯେତେ ଲହଡି ଭାଙ୍ଗଇ
ବୟସ ବଢ଼ଇ ଯେତେ ।
ଜନମ ଦେଇ ବି କରମ ଭରିଲେ
ନିଜ ଆଦର୍ଶରେ ଯିଏ
ଦେବ ତୁଲ୍ୟ ଏହି ଲୌକିକ ଜଗତେ
ଜୀବନ୍ତ ଦେବତା ସିଏ ।
ଅଝଟ ଅବୁଝା ଅମାନିଅଁ ପଣ
ସବୁ କରୁଥିଲେ ବଶ
ସତେ ପରା ତାଙ୍କ କଥା ଅମୃତ
ମନେ ଫୁଟୁଥିଲା ହସ ।
ମନ ଜାଣି ଆମ କିଣି ଆଣୁଥିଲେ
ବଜାର ଯାକର ଦ୍ରବ୍ୟ
ବାପା ଥିଲେ ପାଶେ ଜାଣିଲୁନି କେବେ
ଥିଲା କି କିଛି ଅଭାବ ।
ବୟସ ବଢ଼ିଲା ସମୟ ସ୍ରୋତରେ
ଆଶାର ଅନ୍ତ ନ ହେଲା
ବୟସର ଛାପ ନ ଦେଖି ପାରିଲୁ
ଅତିରୁ ଇତି ହୋଇଲା ।
କର୍ତବ୍ୟର ବୋଝ ମୁଣ୍ଡେଇ ମୁଣ୍ଡେଇ
ପଡିଲେ ହାଲିଆ ହୋଇ
ଆଖି ଖୋଲି ଯେବେ ଦେଖିଲି ସକାଳେ
ବାପା ପଡି ଥିଲେ ଶୋଇ ।
ସେଇ ନିଦ୍ରା ତାଙ୍କ ଶେଷ ନିଦ୍ରା ହେଲା
କେତେ କଥା ମନେ ରହିଲା
ସୌଭାଗ୍ୟ ହରା ହେଇଲୁ ସେଦିନୁ
ସଂସାର ବଦଳି ଗଲା ।
