STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା

2 mins
7

 

ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ

ବିଜେ ଗୁଣ୍ଡିଚା ମନ୍ଦିରେ

ଅବଗତ ହେଲେ ଲକ୍ଷ୍ମୀ ଠାକୁରାଣୀ

କ୍ରୋଧିତ ହେଲେ ମନରେ

ମା ବିମଳାଙ୍କ ନିକଟରେ ସମସ୍ୟା 

କହି ଉପାୟ ଚାହିଁଲେ 

ଦୁଃଖ ଜାଣି ତନ୍ତ୍ର ଦେବୀ ମା ବିମଳା

ମୋହ ଚୂର୍ଣ୍ଣ ହସ୍ତେ ଦେଲେ

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା

ପ୍ରଭୁଙ୍କ ଦର୍ଶନ ଅର୍ଥେ

ଗୁଣ୍ଡିଚା ମନ୍ଦିରେ ଲୀଳା ଲାଗି ଅଛି 

ଜାଣି ଗଲେ ସେ ମୁହୂର୍ତ୍ତେ

ଦୂରେ ଥାଇ ମୋହ ଚୂର୍ଣ୍ଣ ନିକ୍ଷେପିଲେ 

କହି କେତେ କଟୁ କଥା

ଶ୍ରୀମନ୍ଦିର ଫେରି ଆସିବା ନିମନ୍ତେ

ଜ୍ଞାତ କଲେ ଲକ୍ଷ୍ମୀ ମାତା

ଘରୋଇ ଅଶାନ୍ତି ସମାଧାନ ଅର୍ଥେ

ଦତ୍ତ ହେଲା ଆଜ୍ଞା ମାଳ 

କ୍ରୋଧ ଜର୍ଜରିତ ଲକ୍ଷ୍ମୀ ଠାକୁରାଣୀ

ଫେରି ଆସିଲେ ତତ୍କାଳ

ଫେରିବା ବାଟରେ ରଥ କାଠ ଭାଙ୍ଗି

ଫେରିଲେ ନିଜ ପୁରକୁ

ଫେରିବା ବାଟକୁ ଚାହିଁ ବସିଥିଲେ 

ବୁଝି ବୁଝାଇ ନିଜକୁ

ନଣନ୍ଦ ସୁଭଦ୍ରା ଅବଗତ ହେଲେ

କ୍ରୋଧ କଥା ଲକ୍ଷ୍ମୀଙ୍କର

ଶ୍ରୀମନ୍ଦିର ଫେରି ଯିବାକୁ ନିର୍ଦ୍ଦେଶ

ହୋଇଲା ବଳବତ୍ତର 


ଆଜ୍ଞାମାଳ ପରେ କାର୍ଯ୍ୟ ତ୍ବରାନ୍ବିତ

ବିଧି ବିଧାନ ସହିତ 

ତିନି ରଥ କ୍ରମେ ଦକ୍ଷିଣ ମୋଡ଼ରେ 

ପଥ ଧାର ରେ ପ୍ରସ୍ତୁତ

ଆଷାଢ଼ ଶୁକ୍ଳ ଦଶମୀ ତିଥିରେ 

ବାହୁଡ଼ା ଯାତ୍ରା ବିଧାନ

ଜନ୍ମ ବେଦୀ ଛାଡ଼ି ଯିବେ ରତ୍ନବେଦୀ

ପରମ୍ପରା ବି ପାଳନ


ଏକ ବର୍ଷ ପ୍ରତୀକ୍ଷାର ନୀରବତା

ଥିଲା ଗୁଣ୍ଡିଚା ମନ୍ଦିରେ

ଚତୁର୍ଦ୍ଧା ମୂରତି ବିଜେ ହେଲା ପରେ

ଚଳ ଚଞ୍ଚଳ ସେଠାରେ

ବାହୁଡ଼ା ବ୍ରହ୍ମଙ୍କ ବାହୁଡ଼ିବା ବେଳ 

କ୍ରମେ ହେଲା ଉପଗତ 

ଜନ୍ମ ବେଦୀ ମୋହ ଗଲା ଅପସରି

ରଥ ହୋଇଛି ପ୍ରସ୍ତୁତ

ଜନ୍ମ ବେଦୀ ଓ ମାଉସୀ ମା ଦର୍ଶନ

ଭାଇ ଭଉଣୀ ସଙ୍ଗରେ 

ଲୀଳା ଖେଳା ପରେ ଦଶମୀ ତିଥିରେ

ବାହୁଡିବେ ଶ୍ରୀମନ୍ଦିରେ


ଅପର ପକ୍ଷରେ ଶ୍ରୀମନ୍ଦିର ଶୂନ୍ୟ

ରତ୍ନ ବେଦୀ କୋଳ ଶୂନ୍ୟ 

ଖୁସିର ଲହରୀ ଭକ୍ତଙ୍କ ମନରେ

ହେବ ପ୍ରଭୁଙ୍କ ଦର୍ଶନ

ଶାନ୍ତ ହୋଇ ନାହିଁ କ୍ରୋଧ ଅଭିମାନ

ମା ଲକ୍ଷ୍ମୀ ବି ଅପେକ୍ଷାରେ

ହେରା ପଞ୍ଚମୀରେ ରଥ କାଠ ଭାଙ୍ଗି

ତଥାପି ପ୍ରଭୁ ଆଶାରେ

ସବୁଠାରୁ ଖୁସି ସେହି ବଡ ଦାଣ୍ଡ 

ଭାବ ବିହ୍ୱଳେ ଅଧିର

ଲକ୍ଷ ଲକ୍ଷ ଭକ୍ତ ଗହଣରେ ରଥ

ପଥ ଉତ୍ସବ ମୁଖର

ଜୟ ଜଗନ୍ନାଥ ଧ୍ଵନି ସହିତରେ

ଘଣ୍ଟ କୀର୍ତ୍ତନ ନାଚରେ

ଝଲସି ଉଠଇ ବଡ ଦାଣ୍ଡ ପଥ

ଜଗନ୍ନାଥ-ମୟ ଧାରେ

ଫେରିବା ବାଟରେ ରଥ ବି କହିବ

"ମୁହିଁ ପରା ଜଗନ୍ନାଥ ''

ପଥ ବି କହିବ ଦେଖ ଜଗନ୍ନାଥ

ରଥ ପଥ ଜଗନ୍ନାଥ 

ଆକୁଳ ହୃଦୟେ ସଭିଏଁ ଆଶାୟୀ

ପ୍ରଭୁଙ୍କର ଲେଉଟାଣି

ରତ୍ନ ବେଦୀ,ଭକ୍ତ, ଅଭିମାନୀ ଲକ୍ଷ୍ମୀ

ଅନାଇ ଅଛନ୍ତି ପୁଣି


ସମ୍ପୁର୍ଣ୍ଣ ଯାତ୍ରାର ତିନି ଗୋଟି ଅଙ୍ଗ

ରଥ ଯାତ୍ରା ଅନ୍ୟତମ

ତା'ପରେ ଗୁଣ୍ଡିଚା ମଣ୍ଡପରେ ବିଜେ

ଦ୍ଵିତୀୟ ଅଙ୍ଗ ନିୟମ

ବାହୁଡ଼ା ଯାତ୍ରା ଠୁ ଶ୍ରୀମନ୍ଦିର ବିଜେ

ତୃତୀୟ ଅଙ୍ଗ ନାମରେ

ପରମ୍ପରା ରୀତି ନୀତି ଆଧାରରେ

ଯାତ୍ରା ପାଳନ ସତ୍ଵରେ

ରଥ ଯାତ୍ରା ବେଳେ ଚତୁର୍ଦ୍ଧା ମୁରତି

ଉତ୍ତରାଭିମୁଖି ଯାତ୍ରା

ଦକ୍ଷିଣାଭିମୁଖି ହୋଇ ବାହୁଡ଼ିବେ 

ବିଧାନ ବାହୁଡ଼ା ଯାତ୍ରା


ମଣିଷ ଶରୀର ଏକ ରଥ ସମ

ଆତ୍ମା ଶରୀର ଭିତରେ

ଇନ୍ଦ୍ରିୟ ରୂପକ ଅଶ୍ଵ ଟାଣୁଛନ୍ତି

ଲଗାମ ବୁଦ୍ଧି ହାତରେ

ଶରୀର ରଥରେ ଆତ୍ମା ଆରୋହଣ

ଯାତ୍ରା ସଂସାର ପଥରେ

ନନ୍ଦିଘୋଷ ରଥେ ପ୍ରଭୁ ଜଗନ୍ନାଥ

ଯାତ୍ରା ବି ବଡ ଦାଣ୍ଡରେ

ବାହୁଡ଼ା ଯାତ୍ରାର ତତ୍ତ୍ଵ ଭାବ ବୁଝି

ଜୀବନ ଯାତ୍ରା ପଥରେ

ମୋହ ମାୟା ଦ୍ଵାରା ବଶ ନ ହୋଇଲେ

ମୁକ୍ତି ପ୍ରାପ୍ତି ବି ଅଚିରେ ।।



Rate this content
Log in

Similar oriya poem from Abstract