ବାଧ୍ଯ ନା ବନ୍ଧକ?
ବାଧ୍ଯ ନା ବନ୍ଧକ?
ଜୀବନ ବିବର୍ତ୍ତନେ ଏବେ ସ୍ବାଧୀନତାର ଜାଗୃତି ବେଶୀ
ଉଚ୍ଚାଙ୍ଗ ଉଚ୍ଚାରଣରେ ଆଚରଣ କିଆଁ ମାଟି ଛୁଉଁଛି ?
ସମ୍ଭାବ୍ଯ ସମୀକରଣରେ ଜ୍ଯାମିତିକ ସୂକ୍ଷ୍ମ ପଦକ୍ଷେପ
ସମୁଜ୍ଜ୍ଵଳ ବାସ୍ତବତା କିନ୍ତୁ ବଦଳିବାରେ ନିୟୋଜିତ।
ସୁଯୋଗକୁ ପ୍ରଲମ୍ବିତ କରିବାକୁ କି ଦୁର୍ବାର ପ୍ରୟାସ !
ଦୁର୍ବଳର ଦୁର୍ଯୋଗେ କିନ୍ତୁ ହାତ ବଢ଼ାଇବାକୁ କୁଣ୍ଠିତ
ସ୍ବାର୍ଥ ସମରେ ସମର୍ଥ ସାରଥିଟେ ହେବାକୁ ସନ୍ତର୍ପଣ
ସତ୍ଯ ଧର୍ମର ପବିତ୍ର ମାର୍ଗରେ ଉନ୍ମୁଖକି ତୋ ଜୀବନ ?
ଯୋଗମୁଦ୍ରାରେ ବି ମୁଦ୍ରା ଅର୍ଜନର ମୋହରେ କବଳିତ
ଜୀବନ ସଂଧ୍ଯାରେ କିଆଁ କର୍ମ ଅନୁଚିନ୍ତାରେ ବିଚଳିତ?
ସିଦ୍ଧାର୍ଥଙ୍କ କାମନାଶୂନ୍ଯ ନିର୍ବାଣ ତୋ ଲାଗି ଅଯୌକ୍ତିକ
ବୟସର ଅପରାହ୍ନେ ସତସଙ୍ଗ ପ୍ରାଙ୍ଗଣେ ସାଶ୍ରୁଶ୍ରାଦ୍ଧ।
ଆବୋରିଛୁ ପୁଣ୍ଯ ସଂସାର ମନ୍ଦିର ପ୍ରେମର ମନ୍ତ୍ର ଗାଇ
ଏରୁଣ୍ଡି ଡେଉଁଲେ ପାସୋରି ଯାଉଛୁ ସଭିଏଁ ଭଉଣୀ ଭାଇ
ଦେହ ଦାହର ଦାବାନଳେ ଦଗ୍ଧିଭୂତ ତୋ ଦିବ୍ୟ ଚେତନା
ଉଲଗ୍ନ ନାରୀ ଦେହେ ଦେଖୁଛୁ ବିଭତ୍ସ ବିପ୍ଳବର ରାହା ।
ଅର୍ଦ୍ଧନାରୀଶ୍ଵର ସଶ୍ରଦ୍ଧ ବିଶ୍ବାସେ ସଜଳ ତୋ ଚିନ୍ତନ
ନାରୀ ନିର୍ଯାତନା ପାଲଟିଗଲାକି ଛବିଳ ବିଜ୍ଞାପନ !
ବିଜୟ ଉଲ୍ଲାସ ଶିହରଣ ତୋଳେ ସଫଳ ଚନ୍ଦ୍ର ଯାତ୍ରା
ଧୂମିଳ ଚେତନା ସାଥେ କି ସରିବ ଜୀବନ ମହାଯାତ୍ରା !
ବିତିଛି ବିତୁଛି ବିତିବବି ମଧ୍ଯ କାଳର କିୟଦାଂଶ
ଭୋଗ ଭାଗର ମୋହାସକ୍ତ ଜୀବନ କି ତୋପାଇଁ ସର୍ବସ୍ବ ?
ଭାଗ୍ୟକୁ କିବା ଦ୍ବାହି ଦେଉ ଅମୃତ ତୋ ଅଳିକ ଆୟୁଷ
ମହାମାନବୀୟ ଧର୍ମରେ ଖୋଜିନେ ଜିଇଁବାର ମହକ ।
