STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ଅଟଳ ପ୍ରତିଜ୍ଞା

ଅଟଳ ପ୍ରତିଜ୍ଞା

1 min
282

ବତାସ ପ୍ରଭାବେ    ପ୍ରଶାନ୍ତ ବକ୍ଷରେ

ଜୁଆର ଯେସନ ଜାଗେ

ପ୍ରତିଶୋଧାନଳେ   କମ୍ପମାନ ପ୍ରାୟେ

ସମଗ୍ର ଶରୀର ଲାଗେ

ଆପାଦମସ୍ତକ     ରକ୍ତାଭ ବର୍ଣ୍ଣରେ

ବାଳରବି ଜ୍ବାଳା ବୋଧ

ପ୍ରଳୟ ହେବ କି   ମହାକାଳ ମୁଖେ

ଏକ୍ଷଣି ଭରିଛି କ୍ରୋଧ

ନେତ୍ର ଯୁଗଳରେ    ଉଦାର ପଟଳ

ଅସ୍ଥିର ବିଷମ ଚାପେ

ଭସ୍ମୀଭୂତ କିବା    ହେବ ବସୁନ୍ଧରା

ଏ ରୋଷ-ଡହକ ତାପେ

ଅରୁଣିମା ମିତ୍ର     ଅନଳ ସତେକି

ଖେଳଇ ଲହରୀ ମାଳେ

ଶୋକାଶ୍ରୁ ଜଳ ବି   ନୟନସାଗରେ

ଜଳିଯାଏ ସମକାଳେ

ସଂସାର ସମ୍ମୁଖେ    ଅଟଳ ପ୍ରତିଜ୍ଞା

କରିଗଲେ ଧନଞ୍ଜୟ

କଥା ଅନୁସାରେ   ଯଥାର୍ଥ କାର୍ଯ୍ୟକୁ

ନକରି ହେବେନି ଥୟ

ଅବୋଧ ବାଳର  ହତ୍ଯା କଲେ ଯିଏ

କପଟ ବ୍ୟୂହର ପର୍ବେ

ଶୋକମଗ୍ନ ହେବେ  ସତ୍ବରେ ବିଧର୍ମୀ

ପାମର ଶତ୍ରୁ ସେ' ସର୍ବେ

ଅଭିମନ୍ୟୁ ଧନ     ନିଧନ କାରଣେ

ଥିଲେ ଯେଉଁ ରଥୀ ମୂଳ

ଅଚିରେ ସଭିଙ୍କ    ନିର୍ଦ୍ଦୟ ହୃଦୟେ

ଭେଦିବ ନିଶ୍ଚୟ ଶୂଳ

ଖଳ ଜୟଦ୍ରଥ    ନିମନ୍ତେ ଏବେ ତ

ମୃତ୍ୟୁଦଣ୍ଡ ମାତ୍ର ସାର

ପାର୍ଥ ସାଥେ ଯୁଝି   ବରଣ କରୁ ସେ'

ରୌରବ ନରକ ଦ୍ବାର

ରଣକ୍ଷେତ୍ରେ କାଲି   ପଣ ନରହିଲେ

ଶସ୍ତ୍ରାସ୍ତ୍ର ସକଳ ତ୍ୟାଗି

ଧନୁର୍ଦ୍ଧର ବୀର    ସତ୍ୟ ସଙ୍କଳ୍ପିଲେ

ହୋଇଯିବେ ବଇରାଗୀ

ସୂର୍ଯ୍ୟାସ୍ତ ପୂର୍ବରୁ     ଜୟଦ୍ରଥ ବଧ

ଅଟଳ ପ୍ରତିଜ୍ଞା ଯହିଁ

ସାକ୍ଷୀ ରହିଥିଲେ    ଦଶ ଦିଗପାଳ

ଅନଳ ଅମ୍ବର ମହୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract