ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ସ୍ବପ୍ନ କି ବାସ୍ତବ ଜାଣିପାରିଲିନି
ମଧୁଭରା ଥିଲା ବେଳା,
ଜହ୍ନର ଜୋଛନା ଶୀତଳତା ଭରି
ଝରି ଝରି ଯାଉଥିଲା |
ଶରତ ଆକାଶେ ଧଳା ମେଘ ସବୁ
ଦୂରେ ଦୂରେ ଭାସୁଥିଲେ,
ଜହ୍ନକୁ ଛୁଇଁବା ଇଛା ମନେ ଭରି
ଜହ୍ନ ଆଡେ ଚାଲିଥିଲେ |
ନିରୋଳାରେ କେଉଁ ମାଟିରେ ତିଆରି
ରାସ୍ତାରେ ମୁଁ ଚାଲୁଥିଲି,
ଅଜଣା ରାସ୍ତାଟି ଲାଗୁଥିଲା କିନ୍ତୁ
ପରିଚିତ ମୋର ବୋଲି |
ଚାଲୁ ଚାଲୁ ମୁଁ ଯେ ଶୁଣିଲି ମଧୁର
ଘୁଙ୍ଗୁର ଶବଦ ବାଜେ,
ନାଚୁଛି କିଏ ସେ ରାତିରେ ଗୋପନେ
ନିକାଞ୍ଚନ ଏଇ ପଥେ |
ଚାଁହୁଥିଲା ମନ ଦେଖିବାକୁ ତାକୁ
ଦେଖିବାକୁ ତାର ନାଚ,
ଶବ୍ଦ ଆସୁଥିବା ଦିଗକୁ ଚାଲିଲି
ନ ଭାବି ମୁଁ ଆଗ ପଛ |
କିଛି ଦୂର ପରେ ଦେଖିଲି ଝିଅଟେ
ନାଚୁଥିଲା ପ୍ରାନ୍ତରରେ,
ମୋତେ ଦେଖିବାରୁ ହସି ସେ ଡାକିଲା
ପ୍ରୀତି ମଧୁଭରା ସ୍ଵରେ |
ଦେଖିଲି ନିରେଖି କୁଆଁରୀ କିଏ ସେ
ରୂପ ତାର ମନଲୋଭା,
ରକ୍ତ ହଳଦୀର ରଙ୍ଗ ତା ଦେହଟା
ଜୋଛନାରେ ଫୁଟେ ଆଭା |
ପାଖକୁ ଯାଇ ମୁଁ ପଚାରିଲି ତାକୁ
କେଉଁଠି ତୁମର ଘର,
ରାତିରେ କାହିଁକି ନାଚୁଛ ଏଠାରେ
କାହାପାଇଁ ଅଭିସାର |
ହସି ଶୁଣୁଥିଲା ବିମୁଗ୍ଧ ଅନ୍ତରେ
ବିଶ୍ୱାସ ଭରି ସେ କେତେ ,
କହିଲା ମଧୁରେ ନାମ ମୋ ଶେଫାଳୀ
ପ୍ରଭାତରେ ଝଡି ପଡେ |
ତୁମପରି ଜଣେ ଭାଇ ମୋର ଥିଲେ
ସାଥି ହୁଅନ୍ତାନି ନିଶା,
ସୀମନ୍ତିନୀ ହୋଇ କାହା ପ୍ରଣୟିନୀ
ହେବାପାଇଁ ଥିଲା ଆଶା |
ଆଖିରୁ ତାହାର ଝରି ପଡୁଥିଲା
ବେଦନାରେ ସିକ୍ତ ଲୁହ,
ହୃଦୟରେ ଚାପି ପାରୁ ସେ ନଥିଲା
ଉଠି ଆସୁଥିବା କୋହ |
କହିଲା ଦୁଃଖରେ ଶୁଣ ଭାଇ ଥରେ
ଜୀବନ ମୋ ଦୁଃଖ ଭରା,
ସଂସାରର କଥା ବୁଝିବା ଆଗରୁ
ନିରବୀ ଗଲି ମୁଁ ପରା |
ନଷ୍ଟ ପୁରୁଷଙ୍କ ଆଖିରେ ପଡିଲି
ମାରିଦେଲେ ଭୋଗ ପରେ,
ସେହିଦିନ ଠାରୁ ଅତୃପ୍ତ ଆତ୍ମା ମୋ
ନିଶିଥରେ ନୃତ୍ୟ କରେ |
ଭୟ କରନାହିଁ ଭାଇ ମୁଁ ତୁମକୁ
କହିଲି ମୋ ମନକଥା,
ଶାନ୍ତି ହେଲା ଆତ୍ମା ଚାଲିଯିବି ଏବେ
କହିବାରୁ ସବୁ ବ୍ୟଥା |
ହସି ହସି ସିଏ ଚାଲିଯାଉଥିଲା
ହାତ ଯୋଡ଼ିଥିଲା ମୋତେ,
ଶୂନ୍ୟ ଶରୀର ତା ଶୂନ୍ୟେ ମିଶିଗଲା
ଚାହିଁଥିଲି ତାର ପଥେ ।
