STORYMIRROR

Santosh Kumar Misra

Comedy

3  

Santosh Kumar Misra

Comedy

ଅତର

ଅତର

1 min
27.4K


ଅତର (ଗାଉଁଲି – ୧)

 ସନ୍ତୋଷ ମିଶ୍ର (ଓଗାଳ ପଡା )

ମୁଁ ଏବେ ଖୁବ୍‌ ଅଜଣା ମଣିଷଟିଏ,

ମୋ ଗାଁରେ,

ଶୁଣିଛି କେହି କେହି କହିବା ତାଚ୍ଛଲ୍ୟରେ

ସହରୀ ଅତର ବୋଳା ମୋ ଦେହରେ

ଭିଜାମାଟିର ଗନ୍ଧ ନାହିଁ୤

 

ମୁଁ ଅନୁଭବ କରିଛି

ମନଟି ମୋର ହୁଏତ ବଦଳିଯାଇଛି,

ମୁଁ ଖୋଜୁନି ଆଉ

ମୋ ଗାଁ ନଈପଠା, କାଶତଣ୍ଡି ବଣ,

ଆମ୍ବତୋଟା,

ଗାଁ ମୁଣ୍ଡ ବରଗଛ କି ତା’ ମୂଳରେ

ମୌନରେ ବସିଥିବା ଆମ ଈଷ୍ଟଦେବୀଙ୍କୁ୤

 

ମୋ ପାଇଁ ତ ଗୋବର ଲିପା

ମାଟିଘର ଟି ଏବେ

ଜୀବାଣୁ ଯୁକ୍ତ,

ମୋ ପାଇଁ ନଇଁ ପଡି ସାଷ୍ଟାଙ୍ଗ ପ୍ରଣାମ

ଏକ ପୁରୁଣା କାଳିଆ ସଉକ୤

 

ଘର ପିଣ୍ଡାରେ ସାଙ୍ଗ ମେଳରେ

ବାଘଛେଳି ର ଖେଳ,

ବରଗଛ ଓହଳରେ ଦୋଳି,

ମନ୍ଦିର ବେଢାରେ କବାଡି ଖେଳ,

ସବୁ ଅଯଥା,

ମୁଁ ତିଆରି ସାରିଛି ମୋ ପାଇଁ

ଏ ସବୁର କେତେ କେତେ

ନୂଆ ନୂଆ ସଂଜ୍ଞା

ମୋର ଏ ନବକଳେବର ପାଇଁ୤ 

ମୁଁ ଭୁଲି ସାରିଛି ପ୍ରାର୍ଥନାର ଢଙ୍ଗରଙ୍ଗ,

ମୋ ପିଲ ଜାଣି ନାହାନ୍ତି 

ମଣ୍ଡା, କାକରା କି ଗଇଁଠା ପିଠା,

ମୁଁ ଏବେ ଭଲ ପାଏ

କାଟିବାକୁ ମୋର ବଳକା ସମୟ

ସୁସଜ୍ଜିତ, ସୁରମ୍ୟ ଭୋଜନାଳୟରେ

ମିଞ୍ଜିମିଞ୍ଜି ଆଲୁଅରେ,

ଅନୁଢା ଏକ ପରକୀୟା ପରିବେଶରେ୤ 

ସତେତ

ମୁଁ ଏବେ ଗଧୋଇ ସାରିଛି

ବାସ୍ନାଭରା କିଛି ସହରୀ ଅତରରେ

ଭିଜାମାଟିର ଗନ୍ଧ ବା ଆସିବ କୁଆଡୁ

 

ମୋ ଦେହରେ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy