ଅତିଥି
ଅତିଥି
ଭାରତୀୟ ସଂସ୍କୃତିରେ ଅତିଥି ମହାନ
ଅତିଥି ଗୃହସ୍ଥ ପକ୍ଷେ ଦେବତା ସମାନ |
ଅତିଥିଙ୍କୁ କରାଯାଇ ଥାଏ ନିମନ୍ତ୍ରଣ
ବିନା ନିମନ୍ତ୍ରଣେ ଯାର ହୁଏ ଆଗମନ |
ବିନା ତିଥିରେ ସେ କରିଥାନ୍ତି ପଦାର୍ପଣ
ତେଣୁ ସେ ଶ୍ରେଷ୍ଠ ଅତିଥି ମଧ୍ୟରେ ଗଣନ |
ଅତିଥିର ସେବା ଚର୍ଚ୍ଚା ଗୃହୀର କର୍ତ୍ତବ୍ୟ
ଅତିଥି ତୋଷରେ ତୋଷ ହୁଅନ୍ତି ମାଧବ |
ଯାହା ଘରୁ ଅତିଥି ନିରାଶେ ବାହୁଡ଼ନ୍ତି
ସକଳ ସୁକୃତି ତାର ହୁଅଇ ଦୁର୍ଗତି |
ସେ ଘରୁ ପିତୃ ଦେବତା ହୁଅନ୍ତି ଅନ୍ତର
କୁମ୍ଭୀପାକ ନରକରେ ପଡ଼େ ସେହି ନର |
ଅତିଥି ଆସିଲେ ଆଗେ ଧୋଇଦେବ ପଦ
ଆସନରେ ବସାଇବ କରି ସ୍ନେହାସ୍ପଦ |
କୁଶଳ ବାର୍ତ୍ତା ପୁଛିବ ଦେବଟି ଭୋଜନ
ବିଶ୍ରାମ ନିମିତ୍ତ ଆବଶ୍ୟକ ଆୟୋଜନ |
ଯେତେ ଦିନ ତାଙ୍କ ଇଚ୍ଛା ରହନ୍ତୁ ସେ ଘରେ
ବିଦା ହୁଅ ବୋଲି କେବେ ନକୁହ ମୁଖରେ |
ନିଜର ଅଭାବ ଅତିଥିରେ ନ ଜଣାଇ
ସାଧ୍ୟମତେ ଚର୍ଚ୍ଚା କଲେ କୋଟି ପୂଣ୍ୟ ପାଇ |
ଅତିଥି ବିଦାୟ ବେଳେ ମଧୁ ସମ୍ଭାଷଣେ
କିଛି ବାଟ ଵାଟେଇବ ଭାବ ସମର୍ପଣେ |
ଉତ୍କଳର ଆତିଥ୍ୟଟି ଜଗତ ବିଦିତ
ବିଶ୍ୱ ମାନବିକତାକୁ କରେ ପ୍ରଭାବିତ |
