ଅତିଥି
ଅତିଥି
ମାନବଜୀବନ ଏ ଭୂତଳେ
ବାହୁଡିବା ସର୍ବେ କାଳବଳେ
ଦୁଇଦିନ ଲାଗି
ଆଣିଅଛୁ ମାଗି
ଦେହନୀରେ ପ୍ରାଣମୀନ ଖେଳେ ।
ପୂତ ଏ ଜୀବନ ପରଦାରେ
ଅତିଥି ହେ ମୋର ଆସବାରେ
ସକଳ ଭାବନା
ପୂର୍ଣ୍ଣ ହେବ ସିନା
ତୁମ ପଦରଜ ପତନରେ ।
ଶାରଦୀୟ ଦିବା ଅବସାନେ
ଅତିଥି ହେ ତୁମ ଆଗମନେ
ଅରଜନ ପୂଣ୍ୟ
ନ ହୋଇବ ଶୂନ୍ୟ
ଅନୁପମରୂପ ଛବି ଏ ନୟନେ ।
ଆକୁଳ ସ୍ୱରରେ ଆବାହନ
କରୁଅଛି ଆଜି ଏଇ ମନ
କରିବି ଅର୍ଚ୍ଚନ
ସୁବାସ ସୁମନ
ସୁରଭିତ କସ୍ତୁରୀ ଚ଼ନ୍ଦନ ।
ଗୃହାଙ୍ଗନ ମୋର ଉଠେହସି
ଅତିଥି ହେ ପୂର୍ଣ୍ଣବ୍ରହ୍ମ ରାଶି
ନୀରବ ନିବାସ
ପୂର୍ଣ୍ଣ ଅଭିଳାଷ
ବିଧିର ବିଧାନ ଅବିନାଶୀ ।
ତିଥିରେ ନ ଆସ ପ୍ରିୟବ୍ରତ
ଅତିଥି ସପନ କଲ ସତ
ମେଘମହ୍ଲାରରେ
ମନ୍ଦ୍ର ନିନାଦରେ
ମନ ପ୍ରାଣହେଲା ପୁଲକିତ ।
ଧୋଇବି ଚ଼ରଣ ଗଙ୍ଗାନୀରେ
ପାଛୋଟି ମୋ ଭଗ୍ନ କୁଟୀରରେ
ଅପାର ଆନନ୍ଦ
ପ୍ରାଣ ମୋର ମୁଗ୍ଧ
ମାଙ୍ଗଳିକ ଧ୍ଵନି ନିନାଦରେ ।
ଦିବା ଅବସାନେ ଅନ୍ତରରେ
ଚରମ ସନ୍ତୋଷ ମାନସରେ
ମହାସୁଖ ଲଭି
ଅତିଥିଙ୍କୁ ସେବି
ଶୁଦ୍ଧ ଅମଳିନ ଆଲୋକରେ ।
ମିଛମାୟାଘେରା ଏ ଜଗତ
କରୁଣା ଝରୁଛି ଅବିରତ
ଅତିଥି ସନ୍ତୋଷ
ଭବଭୟ ନାଶ
ଅନନ୍ତ ସୁଖ ଏ ଦେହାତୀତ ।
ଶୟନେ ସ୍ଵପନେ ଜାଗରଣେ
ଅତିଥି ଶ୍ରୀବିଷ୍ଣୁ ଅନୁକ୍ଷଣେ
ଏ ହୃଦ କନ୍ଦରେ
ବିରାଜ ସାଦରେ
ପୂଣ୍ୟ ଲାଭ ହେବ ଏ ପରାଣେ ।
