ଅସ୍ଥିର ଭାବନା
ଅସ୍ଥିର ଭାବନା
ସ୍ଥିର ରଖ ମନ ସର୍ବଦା ସବୁ କାଳରେ ଧନ
ସ୍ଥିର ହୃଦୟେ ତୁ ପାଇବୁ ହରିଙ୍କର ଦର୍ଶନ ।
ଭକ୍ତି ଜ୍ଞାନ ବୈରାଗ୍ୟ ମୂଳ ମନରେ ହେତୁ କର
ଅତି ସହଜ ଭକ୍ତି ଯୋଗ ଆଗେ ମନରେ ଧର।
ଭକତି କର ତୁ ହରିଙ୍କି ସ୍ଥିର ହେବ ଭାବନା
ନିଶ୍ଚୟ ଦୂର ହେବ ତୋର ଯା ଅସ୍ଥିର ଭାବନା ।
ଭକତି ଭାବରେ ବଶ ହୋଇବେ ଶ୍ରୀଭଗବାନ
ସହଜ ସରଳ ଭକତି ଯୋଗ ହେଜ ତୁ ମନ।
ଭକତି ଯୋଗରେ ଜ୍ଞାନ ତୋହର ହେବ ଉଦୟ
ଅନ୍ଧକାର ଦୂର ହୋଇବ ତୁଟିଯିବ ସଂଶୟ ।
ଜ୍ଞାନରୁ ବୈରାଗ୍ୟ ଉଦୟ ନିଶ୍ଚେ ହୋଇବ ତୋର
ସଂସାର ବାସନା ତୁଟିଲେ ଯିବ ଜଞ୍ଜାଳ ଘୋର।
ବାସନା ନିବୃତ୍ତ ହୋଇଲେ ସ୍ଥିର ହେବ ଭାବନା
ଅସ୍ଥିର ଭାବନା ନ ଥିବ ମନ ବୁଝୁଛୁ କି ନା ।
ଧନ ମୋର ବୋଲ ମାନିବୁ କହେ ମନ ରାଜନ
ତତେ ବୁଝାଇ ମୁଁ କହୁଛି ନୁହ ଅସ୍ଥିର ମନ ।
ଶ୍ରୀକୃଷ୍ଣ କହିଲେ ଉଦ୍ଧବ କେତେ ମତେ ପଚାରୁ
ସ୍ଥିର ଭାବନା ଅଟେ ମୋର ମନ ମୋହର ଗୁରୁ ।
ମନ ନିରିମଳ ହୁଅ ତୁ ସ୍ଥିର ହେଉ ଭାବନା
ଗଙ୍ଗାଜଳ ସଦୃଶ ସ୍ବଚ୍ଛ ହେଉ ମୋର ଭାବନା।
ଅସ୍ଥିର ଭାବନା ନ ଆସୁ କେବେ ମନେ ମୋହର
ହରିଙ୍କର ପାଶେ ବିନତି ଶୁଣ କଳା ଠାକୁର ।
