STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଅଷ୍ଟ ଲକ୍ଷ୍ମୀ

ଅଷ୍ଟ ଲକ୍ଷ୍ମୀ

2 mins
332


ଜୟଜୟ ମହାଲକ୍ଷ୍ମୀ ଗୋ ଜୟ ସିନ୍ଧୁ ନନ୍ଦିନୀ

ଜୟଜୟ ମହାଲକ୍ଷ୍ମୀ ଗୋ ଜୟ ବିଷ୍ଣୁ ଘରଣୀ।

ତୁମେ ଦୁର୍ଗା ତୁମେ ଜାନକୀ ତୁମେ ରାଧା ରୁକ୍ମିଣୀ

ଯୁଗେ ଯୁଗେ ଧରା ଧାମରେ ତୁମେ ଅବତାରିଣୀ।


ବିଷ୍ଣୁ ପୁରାଣ ରେ ହୋଇଛି ତୁମ ଲୀଳା ବର୍ଣିତ

ମହାଲକ୍ଷ୍ମୀ ସ୍ତୋତ୍ର ଗାଏ ମା ତୁମ ମଙ୍ଗଳ ଗୀତ।

ଦେବୀ ଭାଗବତ ଶାସ୍ତ୍ର ଯେ ମାର୍କଣ୍ଡେୟ ପୁରାଣ

ସ୍କନ୍ଦ ପୁରାଣ ରେ ମାଆଙ୍କ ମହିମା ଯେ ବର୍ଣ୍ଣନ।


ଅଷ୍ଟ ଲକ୍ଷ୍ମୀ ରୂପେ ମାଆଗୋ ଧରା ଧାମକୁ ଆସି

ତମସା ତୀମିର ଧରାରୁ ତୁମେ ଯାଅଗୋ ନାସି।

ତୁମରି ଆଶିଷେ ସୁଷମା ମୟ ସାରା ଧରଣୀ

ମଙ୍ଗଳ କାରିଣୀ ମାଆଗୋ ତୁମେ ବିଶ୍ବ ଜନନୀ।


ଆଦିଲକ୍ଷ୍ମୀ ଗଜଲକ୍ଷ୍ମୀ ଗୋ ତୁମେ ସନ୍ତାନ ଲକ୍ଷ୍ମୀ

ଧାନ୍ୟଲକ୍ଷ୍ମୀ ଧନଲକ୍ଷ୍ମୀ ଗୋ ମାତା ହେ ଧୈର୍ଯ୍ୟ ଲକ୍ଷ୍ମୀ।

ବୀରଲକ୍ଷ୍ମୀ ବିଦ୍ଯାଲକ୍ଷ୍ମୀ ଗୋ ତୁମେ ଦୁଃଖ ହାରିଣୀ

ଅଷ୍ଟ ଲକ୍ଷ୍ମୀ ଭାବେ ପୂଜିତା ମାଆ ଧରା ଧାରିଣୀ।


ଆଦିଲକ୍ଷ୍ମୀ ମହାଲକ୍ଷ୍ମୀ ଗୋ ମାଗୋ ପ୍ରଥମ ଲକ୍ଷ୍ମୀ

ଚତୁର୍ଭୁଜା ମର୍ତ୍ତୀ ଦେବୀଗୋ ତୁମ ପାଦେ ନମାମି।

ତୁମ ଯୋଗୁ ଧନଧାନ୍ୟରେ ପୂର୍ଣ୍ଣ ହେଲା ଏ ମହୀ

ଉଛୁଳିଲା ପାଣିପବନ ତୁମ ମହିମା ଗାଇ ।


ଗଜଲକ୍ଷ୍ମୀ ମାଗୋ ସାଗର ଗର୍ଭୁ ହୋଇଲ ଜାତ

ଲୋହିତ ବସନା ଦେବୀଗୋ ଗଜପରେ ଶୋଭିତ।

ଚତୁର୍ଭୁଜା ମାଆ ଲକ୍ଷ୍ମୀ ଗୋ ତୁମେ ସୁଖ ଦାୟିନୀ 

ସୌଭାଗ୍ୟ ସମ୍ମାନ ମିଳଇ ଦୟା କଲେ ଜନନୀ।


ସନ୍ତାନ ଲକ୍ଷ୍ମୀ ଙ୍କ ରୂପରେ ତୁମେ ସିନେହମୟୀ

ଷଡଭୂଜା ଦେବୀ ବିଜେ ଗୋ କୋଳେ ଶିଶୁ କୋଳେଇ ।

ଅପୁତ୍ରିକ ନାରୀ ତୁମକୁ ଯେବେ ପୂଜା କରନ୍ତି

ତୁମରି ଆଶିଷେ ସନ୍ତାନ ପ୍ରାପ୍ତି ସେତ ହୁଅନ୍ତି।


ବିଦ୍ଯାଲକ୍ଷ୍ମୀ ରୂପେ ମାଆଗୋ ତୁମେ ବିଦ୍ଯା ଦାୟିନୀ

ଶ୍ବେତ ଶୁଭ୍ର ଅଳଙ୍କାର ରେ ତୁମ ଦେହ ମଣ୍ଡଣୀ।

କମଳା କମଳ ଆସନୀ ମାଗୋ କମଳ ପ୍ରିୟା

କବି ପଣ୍ଢିତଙ୍କୁ ତୁମେତ ସଦା ଦେଖାଅ ରାହା ।


ତୁମେ ଧୈର୍ଯ୍ୟ ଲକ୍ଷ୍ମୀ ମାଆଗୋ ତୁମେ ସୁଖ ପରସା

ଜୀବନ ଯୁଦ୍ଧ ରେ ସଭିଙ୍କୁ ହୁଅ ସାହା ଭରଷା ।

ଅଷ୍ଟଭୂଜା ମହାଦେବୀଗୋ ତୁମେ ବିଶ୍ଵ କଲ୍ୟାଣୀ

ଶଙ୍ଖ ଚକ୍ର ଗଦା ତ୍ରିଶୂଳ ପାଶ ପଦ୍ମ ଧାରିଣୀ।


ଧାନ୍ୟଲକ୍ଷ୍ମୀ ରୂପେ ମାଆଗୋ ତୁମେ କ୍ଷୁଧା ହାରିଣୀ

ତୁମ ଯୋଗୁ ଏଇ ବସୁଧା ହୁଏ ଶିଷ୍ୟ ଶାଳିଣୀ।

ମାର୍ଗଶୀର ଗୁରୁବାର ରେ ନୂଆ ମାଣ ଧାନରେ

ପୂଜାପାଅ ତୁମେ ମାଆଗୋ ସବୁ ଓଡିଆ ଘରେ ।


ବୀରଲକ୍ଷ୍ମୀ ଅଷ୍ଟଭୂଜା ଗୋ ମାଆ ବୀର ରମଣୀ

ଭକତ ବତ୍ସଳା ଦେବୀଗୋ ତୁମେ ଦୁଃଖ ହାରିଣୀ।

ମନେ ଦିଅ ଭରି ସାହସ ତୁମେ ଶକ୍ତି ଦାୟିନୀ

ଘୋର ବିପଦରୁ ମାଆଗୋ ତୁମେ ରକ୍ଷା କାରିଣୀ।


ସର୍ବପୂଜ୍ଯା ଧନଲକ୍ଷ୍ମୀ ଗୋ ତୁମେ ଲୋକ ଜନନୀ

ତୁମେ ଦୟାକଲେ ମାଆଗୋ ଅଭାବ ଯେ ରହେନି ।

ଷଡଭୂଜା ଦେବୀ ହସ୍ତରେ ଅମୃତ ର କଳସ

ଅମୃତମୟ ଏ ପୃଥିବୀ ପାଇ ତୁମ ଆଶିଷ ।


ଅଷ୍ଟ ଲକ୍ଷ୍ମୀ ରୂପେ ମାଆଗୋ ତୁମେ ଧରାକୁ ଆସି

ସୁଖ ଶାନ୍ତି ଭରିଦିଅ ହେ ଉଠେ ଜଗତ ହସି ।

ତୁମ ନାମ ନିତି ଘୋଷନ୍ତି ଭାବ ଭକ୍ତିରେ ସର୍ବେ

ତୁମେ ଦୟାକଲେ ରୁହେନି ଦୁଃଖ କାହାରି ଭବେ।


ଅମୃତ ଦୃଷ୍ଟିରେ ସଭିଙ୍କୁ ମାଆ ଥିବଗୋ ଚାହିଁ

ଦୁଃଖ ଅବସାଦ ମନରୁ ମାଆ ଦେବ ଦୂରେଇ।

ମୁଁ ଅଧମ ତୁମ ସନ୍ତାନ ତୁମ ପାଦର ଧୂଳି

ଦୋଷ ଥିଲେ କ୍ଷମା କରିବ କରେ ପାଦରେ ଅଳି ।


Rate this content
Log in

Similar oriya poem from Classics