ଅସରା ପଥର ଯାତ୍ରୀ
ଅସରା ପଥର ଯାତ୍ରୀ
ମୁଗ୍ଧ ପଥିକ ମୋ ଠିକଣା ଅଜଣା
ଅସରା ପଥର ଯାତ୍ରୀ
ନିତି ନୂଆ ଏକ ଦିବସ ଖୋଜେ ମୁଁ
ଆଡେଇ ଅଲୋଡା ରାତ୍ରି।
ମୁଁ ଅସରା ପଥର ଯାତ୍ରୀ ।।
ପ୍ରତାରଣା କେବେ କିଏ ଦେଇଥିଲା
ଖୋଜିବା କି ପ୍ରୟୋଜନ
ପ୍ରେମ ଅଛି ଯାହା ହାତ ପାହାନ୍ତାରେ
ନୁହେଁ ବି ଏତେ ନିଉନ
ଅବସାଦ ହୀନ ଅଶ୍ବାସନା ପୂର୍ଣ୍ଣ
ଧରି ମୋ ପୀରତି ପାତ୍ରୀ।
ମୁଁ ଅସରା ପଥର ଯାତ୍ରୀ ।।
ନିତି ନୂଆ ନୂଆ ପରିଚୟ ଖୋଜେ
ସମ୍ପର୍କରୁ ଅଳ୍ପ ଦୂରେ
ପୁରୁଣା ସ୍ମୃତିର ଖୋଳପା ଭିତରେ
ନୂଆ ପ୍ରତିକୃତି ଭରେ
ହାତ ପାପୁଲିରେ ଆଖି ମଳି ମଳି
ଆଇନା ଦେଖୁଚି ନିତି।
ମୁଁ ଅସରା ପଥର ଯାତ୍ରୀ ।।
ସଡ଼କ କଡ଼ର ବରଗଛ ଡାଳ
ଧୂଳିକୁ ଧରିଛି ବୋଲି
ପତରେ ପତରେ ସବୁଜିମା ଖୋଜା
ଆଖିରେ ଅଶୁୟା ଖାଲି
ବରଷା ଆସିବ ପିପାଷା ନାଶିବ
ବିଶ୍ବାସ ମନେ ଭରିଛି।
ମୁଁ ଅସରା ପଥର ଯାତ୍ରୀ ।।
ଅନୁଭୂତି କିଛି ବୁଣି ଦେଇଛି ମୁଁ
ସମ୍ଭାବନା ଗହିରିରେ
ଅଙ୍କୁରିତ ଥରେ ଯଦି ହୋଇପାରେ
ବିଶ୍ବାସ ବୈଶାଖୀ ପରେ
ଅବସାଦ ଖେଦ ଭେଦି ସାଇଛି ମୁଁ
ମୌସୁମୀ ଆସିବା ବାକି।
ମୁଁ ଅସରା ପଥର ଯାତ୍ରୀ ।।
ବଇଶାଖୀ ଖରା ଫୁଙ୍ଗୁଳା ପିଠିରୁ
ଧାରେ ଝାଳ ଝରିଝରି
ମେରୁ ହାଡ଼ ପାଖ ଚମଡ଼ା ଚିପୁଡ଼ି
କହୁଗଲା ଧିରି ଧିରି
ଅପେକ୍ଷା କରିଥା ଅଳପ ବାଆକୁ
ମିଳିବ ଅନେକ ତୃପ୍ତି।
ମୁଁ ଅସରା ପଥର ଯାତ୍ରୀ।।
