ଅର୍ବାଚିନର ପ୍ରଳାପ
ଅର୍ବାଚିନର ପ୍ରଳାପ
ଅସରନ୍ତି ଇଚ୍ଛା-ଅନିଚ୍ଛାର ଦୋଛକିରେ
ତଉଳି ଚାଲେ ମୁଁ ଅହର୍ନିଶ
ଆହେ ଜଗଦୀଶ
ଜହ୍ନରାତିର ତରଳ ମାୟାରେ ଭିଡି
ପ୍ରୀୟା ମୋ ଥିବ ବାହୁ ବଳୟରେ ଆଉଜି
ନିରୋଳା ଛାତରେ ଶର୍ବରୀ କୋଳରେ
ସ୍ନେହର ଡେଣାରେ ସମର୍ପଣର ଭାବନାରେ
ଅଳପ ସଳପ ଗଳ୍ପରେ ପାହିଯିବ ନିଶି ।
ଏଇ ପାଗଳ ଇଚ୍ଛାଟି ବୋଧେ ଛାତି ତଳେ
ଚାପି ହୋଇ ହେବ ସମାଧିସ୍ଥ
ଜୀବନର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ
ଶେଷ ନିଃଶ୍ୱାସ ପ୍ରଶ୍ଵାସ ପର୍ଯ୍ୟନ୍ତ
ଅପୂରଣ ରହିଯିବ ବୋଧେ
ଆହେ ନୀଳାଦ୍ରିଶ ।
ମୁଁ ଜାଣେ ବିଦାୟ ସୁନିଶ୍ଚିତ
ନୁହଁନ୍ତି ଅମର କେହି ଧରାବକ୍ଷେ
ଜନ୍ମ ହେଇଛେ ମାନେ ମୃତ୍ୟୁ ବରଣ
କରିବାକୁ ଗ୍ରହଣ ନିୟତି ନିୟମ କକ୍ଷେ ।
ଛବିଳ ଇଚ୍ଛାଟି ମୋର ମରୁନି ଯେ
ମରଣଶୀଳ ଦୁନିଆରେ
ହୁତୁ ହୁତୁ ଜାଳି ଦେଉଛି ମନ ଗହନର
ହେନ୍ତାଳବଣ
ଯଦିଓ ବିଛଣା ଧରିଲିଣି
ଶବ ପାଲଟି ଯିବାର ସମୟ ଦସ୍ତକ ଦେଲାଣି
ମନରେ କ୍ରୋଧ ଆସେ
କାହିଁକି ଇଚ୍ଛିଲୁ ଅବାନ୍ତର ଅସମ୍ଭବ
ଇଚ୍ଛା କାମନା
ଜହ୍ନରାତିର ମାୟାବୀ ମାୟାରେ କାହିଁ ଫସିଲୁ
ତୁ ପରା ସାଧାରଣ ଅକିଞ୍ଚନ
ସ୍ୱପ୍ନ ଦେଖିବା ମନା
କଳ୍ପନାରେ ଡେଣା ମେଲି
ଜ୍ୟୋତ୍ସ୍ନା ବିହାର ବର୍ଜିତ ଅସନା ।
ପଢିଥିବା ସ୍ଵାଧିନ ଚିନ୍ତନ ସ୍ୱାଧୀନ ମନନ
ଲାଗେ ଅର୍ବାଚିନର ପ୍ରଳାପ
ଜହ୍ନ ରାଇଜରେ କରିବି ଘର
କେବଳ ଶୃତି ମଧୁର କାଳ୍ପନିକ ଗୀତଟେ
ମିଥ୍ୟାର ସିଲଟରେ ଲେଖା ସଂଳାପ ।
