ଅପେକ୍ଷାର ଫଳ ମିଠା
ଅପେକ୍ଷାର ଫଳ ମିଠା
ଜୀବନର ପ୍ରତିଟି ଅନାଗତ ମୁହୂର୍ତ୍ତକୁ
ଭବିଷ୍ୟତର ମାନଦଣ୍ଡ ବିଚାରି
କରିବାକୁ ହୁଏ ଅପେକ୍ଷା
ଯେଉଁ ଅପେକ୍ଷା ପାଇଁ ଲୋଡ଼ା ହୁଏ
ଅସୀମ ଧୈର୍ଯ୍ୟ ଆଉ ସହିଷ୍ଣୁ ମନୋଭାବ
ଘନ ତମସାର ନିଦ୍ରା ବିଯୋଡ଼ିତ ରାତ୍ରି
ଅବସାନ ହେଲା ପରେ ସୂର୍ଯ୍ୟ ଉଏଁ
ଜାଗି ଉଠି ଧରିତ୍ରୀ ଆଣେ ଜାଗରଣ
ଉନ୍ମୀଳିତ ନେତ୍ର ଆଗେ ଦିଶେ
ପ୍ରକୃତିର ସୁନ୍ଦର ଦୃଶ୍ୟରାଜି ଯେତେ
ସୁନେଲି ଆଲୋକରେ ହେଉଥାଏ ଉଦ୍ଭାସିତ
ପ୍ରାଣ ପାଏ ପ୍ରେରଣା ଆରମ୍ଭେ ଅଭିଯାନ
ମିଳେ ଯେବେ ସଫଳତା ବଢ଼େ ଆତ୍ମବିଶ୍ଵାସ
ଅନୁଭବ ହୁଏ ଅପେକ୍ଷାର ଫଳ ମିଠା
ପ୍ରଚଣ୍ଡ ଶୀତର ଦାଉ ସହି ସହି
ବରଫ ଭଳି ଥଣ୍ଡା ଶିଥିଳ ଅବୟବ ସବୁ
ଉତ୍ତାପ ଖୋଜି କରିଥାଏ ଅପେକ୍ଷା
ଆସିଲେ ବସନ୍ତ ହୁଏ ତାର ଅନ୍ତ
ଫଗୁଣ ହସେ ଫୁଲେ ଫୁଲେ ମହକ ବିଞ୍ଚି
ମନରେ ଆଶା ସ୍ବପ୍ନ ଆଖିରେ ରଙ୍ଗ ଭରିଯାଏ
ଆନନ୍ଦ ଉଲ୍ଲାସର ଲହରୀ ଖେଳେ
ସାରା ସଂସାର ହୁଏ ମଧୁମୟ
ଦୂରେଇ ଯାଏ ମନରୁ ଗ୍ଳାନି ଆଉ ଅବସାଦ
ଫଗୁଣର ରଙ୍ଗରେ ରଙ୍ଗୀନ୍ ହୁଏ ଭାବନା
କର୍ମଯଜ୍ଞର ପୂର୍ଣ୍ଣାହୂତିରୁ ଲବ୍ଧହୁଏ ପୁଣ୍ୟ
ବିଜୟ ଧ୍ଵଜା ଉଠେ ଫରଫର
ପ୍ରଚାର କରେ ବିକଶିତ ପ୍ରତିଭାର ଗାରିମା
ହୃଦୟ ବୁଝେ ଅପେକ୍ଷାର ଫଳ ମିଠା
ଜନ୍ମରୁ ଜୀବନର ଶେଷ ଯାଏଁ
କରିବାକୁ ହୁଏ ଅପେକ୍ଷା ପରେ ଅପେକ୍ଷା
ଗୋଟିଏ ଆଶା ପୂରଣ ପରେ ଆଉ ଏକ ଆଶା
ପୂରଣ ପାଇଁ ସେଇ ଅପେକ୍ଷା
ଅପେକ୍ଷା ଅପେକ୍ଷାରେ ହିଁ ସମୟ ବିତେ
ମନରେ ଆଶା ରହିଥାଏ ବସା ବାନ୍ଧି
ଭରସା ରଖିଥାଏ ଆଗାମୀ ଭବିଷ୍ୟତକୁ
ପର୍ଯ୍ୟବେକ୍ଷଣ କରୁଥାଏ ନିତିଦିନ
କଢ଼ ହୁଏ ଫୁଲ ପୁଣି ଫୁଲ ଦିଏ ଫଳ
ପ୍ରାପ୍ତିରେ ଅପେକ୍ଷାର ପରିସମାପ୍ତି
ପ୍ରାଣର ପ୍ରତିଟି ସ୍ପନ୍ଦନେ ସ୍ପନ୍ଦିତ ହୋଇ
ଆହ୍ଵାନ ଦେଉଥାଏ ଅପେକ୍ଷାର ଫଳ ମିଠା।।
