ଅନୁତାପ
ଅନୁତାପ


ପାଞ୍ଚ ମନ ପଚିଶି ପ୍ରକୃତି ମିଶି ଗଢ଼ା ଆମ ଜୀବନ,
ସୁଖ ଦୁଃଖ ସବୁ ଲାଗି ରହିଥାଏ କିଏ ବଡ଼ କିଏ ସାନ ।
ଯୋଗୀ ଭୋଗି ସବୁ କାଟନ୍ତି ସମୟ ଆପଣା କର୍ମରେ ରହି,
ଜୀବନ ନୌକା ବହିଚାଲିଥାଏ ସମୟକୁ ସାଥେ ନେଇ ।
ମର୍ତ୍ୟମଣ୍ଡଳରେ ଆଜି ଅଛି କିଏ ପୁଣି ନଥିବ ପରା କାଲିକୁ,
ଗଲା ବେଳେ କିଆଁ ତୁଛାଟାରେ ନେବ ଅପବାଦ ରୋଷର ବୋଝକୁ ।
ଉଜାଣି ବହୁଛି ଏ ଜୀବନର ନଈ ମିଳେ ନାହିଁ ଥଳ କୂଳ,
ଭାବ ପ୍ରୀତି ସବୁ ଚୁଲିକି ଗଲାଣି ସବୁ ଆଡେ ଜଳେ ହିଂସାର ଅନଳ ।
ଢଳ ଢଳ ହୁଏ ସଦା ସଜୀବ ପ୍ରାଣୀ ଜୀବନର ସାଇତା ଜଳ,
ବିହି ଆଗେ ସତେ ବାନ୍ଧି ପାରିବକି ବିଶ୍ୱାସର ଆଦେଖା ବଳ ।
ଖରାପ କର୍ମରେ ଜଦି ଲିପ୍ତ ହେବା ଆମେ ସବୁ ଜାଣି ଜାଣି ,
ଅନୁତାପ ବିନା ପୁରିବନି କେବେ ଆମ ଧର୍ମର ଗୋଉଣି ।
ପାପ କରି ତପୀ ପାଏ ନାହିଁ କେବେ ବାଟ ସେ ଶେଷ ମୁକ୍ତିର,
ଅନୁତାପ କାହିଁ କରିବାନି ଆମେ ଛାଡ଼ିବାନି କାହିଁ ପଥ ଅଧର୍ମର ।