ଅନୁଭବରେ ଦିବ୍ୟସତ୍ତା
ଅନୁଭବରେ ଦିବ୍ୟସତ୍ତା


ଷଡ଼ ରିପୁ ଜୟ ପବିତ୍ର ହୃଦୟ
ଭାବରେ ତନ୍ମୟ ଶୁଦ୍ଧ ଚେତା
ନିଜକୁ ଭୁଲଇ ଭକ୍ତି-ପ୍ରେମ ରସେ
ତା' ଅନୁଭବରେ ଦିବ୍ୟସତ୍ତା ।
ଦେହ ଅଭିମାନ ହୁଅଇ ବିଲୀନ
ମନୁ ଦୂର ସକଳ ଆବିଳତା
କେବଳ ଈଶ୍ବର ଚିନ୍ତା-ଚେତନାରେ
ବ୍ରହ୍ମ ରୂପେ ଦୃଶ୍ୟ ଏ ସୃଷ୍ଟିସତ୍ତା ।
ଯୋଗୀ ମୁନିଋଷି ଥା'ନ୍ତି ଅନୁଭବୀ
ଯୋଗ ଧ୍ୟାନ ବଳେ ଏ ଦିବ୍ୟସତ୍ତା
ଝରି ପଡ଼େ ସେଥୁ ଆଶୀର୍ବାଦ ରୂପୀ
ମୋକ୍ଷ ମାର୍ଗର ସକଳ ରାସ୍ତା ।
ଷୋହଳ ସହସ୍ର ଗୋପର ଲଳନା
ଏ ଦିବ୍ୟସତ୍ତା ସଦା ଅନୁଭବୀ
ତରି ଯାଇଥିଲେ ଭବ ତରଙ୍ଗିଣୀ
ଭାବରେ ଶ୍ରୀକୃଷ୍ଣଙ୍କ ପଦସେବୀ ।
ବୋଧିସତ୍ୱ ଏହି ଦିବ୍ୟସତ୍ତା ପାଇଁ
ବୁଦ୍ଧତ୍ବ ପ୍ରାପ୍ତିରେ ଜାଳିଲେ ଦୀପ୍ତି
ଯାହାଙ୍କର ନିତି ଆଦର୍ଶେ ଚାଲିଲେ
ମାନବ ଜନ୍ମରୁ ମିଳିବ ମୁକ୍ତି ।