ଅନ୍ତହୀନ ପ୍ରତୀକ୍ଷା
ଅନ୍ତହୀନ ପ୍ରତୀକ୍ଷା


ତୁମେ ଯେବେ ଫେରି ଯାଉଥିଲ
ମୋଠାରୁ ଦୂରକୁ ଦୂରକୁ
ବିପରୀତମୁଖୀ ହୋଇ ମୁହଁକୁ ବୁଲେଇ
ନିଜକୁ ପଚାରି ଦେଖ
ମୋ ଠାରୁ ମୋ ନିଜକୁ ବି ତୁମ ସାଥେ
ନେଉଥିଲ ତୁମ ଛାତିରେ ଲୁଚେଇ।
ନା ମୋ ଭିତରୁ ତୁମେ ଯାଉଥିଲ
ନା ତୁମ ଭିତରୁ ମୁଁ ବାହାରି ପାରୁଥିଲି
ଭାବନାର ଅଠାକାଠିରେ
ଆମେ ଦୁହେଁ ଏମିତି ଲାଖି ରହିଥିଲୁ
ନା ତୁମେ ତୁମେ ହୋଇ ରହିଥିଲ
ନା ମୁଁ ମୁଁ ହୋଇ ରହିଥିଲି
ଆମେ ଦୁହେଁ ଏକ 'ଆମେ'ର ପରିଚୟରେ
ବାସ୍ ଦୁଇଟି ଅଲଗା ଚେହେରା ମାତ୍ର ଥିଲେ।
ତଥାପି କାହିଁକି କେଜାଣି
ତୁମେ ଘାରି ହୋଇଗଲ କେଉଁ ଏକ
ଦ୍ଵନ୍ଦ୍ୱର କଳାଯାଦୁରେ
ଭାଙ୍ଗିବାକୁ କରିଲ ପ୍ରୟାସ ଏ ଯୋଡ଼ା-ପ୍ରାଣକୁ
ସବୁ ଦୋଷ ଲଦି ଦେଇ ନିୟତି ମଥାରେ
ମୁଁ ଜାଣେ ନା ତୁମେ ବଞ୍ଚି ପାରିବ
ନା ମୋତେ ମରିବାକୁ ଦେବ ଏଇ ଜୀବନରେ
କିନ୍ତୁ ଏକଥା ନିଶ୍ଚିତ ଯେ ତୁମେ ନିଶ୍ଚୟ ଫେରିବ
ଓ ମୁଁ ପ୍ରତୀକ୍ଷାର ପୁଷ୍ପଗୁଚ୍ଛ ଧରି
ତୁମ ପାଇଁ ଚାହିଁ ରହିଥିବି
ହେଉ ପଛେ ବୟସର ଶେଷ ପାହାଚରେ।