ଅଂଶୁଘାତ
ଅଂଶୁଘାତ
ଶୀତପରେ ଗ୍ରୀଷ୍ମ ଛୁଏଁ ଯେବେ ଧରା
ଶୀତଳତା ଯାଏ ଚାଲି
ନିବିଡ଼ ଆଶ୍ଳେଷେ ଗ୍ରୀଷ୍ମ ଆବୋରେ
ଅଗ୍ନି ପରା କାୟା ମେଲି l
ଦିନ କେଇଟାରେ ଶୁଖିଯାଏ ସବୁ
ନଦୀନାଳ ପୁଷ୍କରିଣୀ,
ହା ହା କାର ମୟ ହୁଏ ଜୀବକୂଳ
ନପାଇ ଟୋପାଏ ପାଣି l
ଧୀରେ ଧୀରେ ଗ୍ରୀଷ୍ମ ହୁଏ ଯେ ବିଷମ
ସୂର୍ଯ୍ୟ କି ଖସି ଆସେ
ତପତ କିରଣ ବିକିରଣ କରେ
ଦେହ ଜଳେ ତା ପରଶେ l
ଝାଞ୍ଜି ପବନ ଯେ ମାଡିଆସେ କାହୁଁ
ଧ୍ବଂସ କିବା ହେବ ଧରା
ବନେ ଜୀବଜନ୍ତୁ ପ୍ରାଣ ବିକଳରେ
ଧାଆନ୍ତି ଯେ ବନସାରା l
ତପନ କିରଣେ ବାହାରକୁ ଗଲେ
ହେବ ନିଶ୍ଚେ ଅଂଶୁଘାତ,
ଜୀବ ଶରୀରର ଜଳୀୟଅଂଶକୁ
ଶୋଷି କରେ ପ୍ରତିଘାତ l
ସକାଳ ବେଳlରେ କାମ ସାରିଦେବା
ବୁଦ୍ଧିମାନ କାର୍ଯ୍ୟ ହେବ
ଖରାର ତାତିରୁ ରକ୍ଷା ପାଇବାକୁ
ଘରେ ହିଁ ବିଶ୍ରାମ ନେବ l
ପଖାଳ ଭାତକୁ ଖାଇବ ଦିନରେ
ଘୋଳଦହି ପାଣି ପିଇ
ଲେମ୍ବୁ ସରବତ ଦେହକୁ ତ ହିତ
ଗରମକୁ ଯିବ ସହି l
ଅନିର୍ଵାର୍ଯ୍ୟ ହେତୁ ବାହାରକୁ ଗଲେ
ଧଳାପୋଷାକ ପିନ୍ଧିବ,
ଶୀତଳ ଜଳକୁ ସଙ୍ଗେ ନେଇଥିବ
ମୁନ୍ଦେ ମୁନ୍ଦେ ପିଉଥିବ l
ମୁଣ୍ଡେ ଦେବ ଟୋପି ଅଥବା ପଗଡି
ହାତେ ନେଇଥିବ ଛତା
ଖାଇଥିବ ନିଶ୍ଚେ ପେଟ ନପୁରାଇ
ଧୀରେ ପାରିହେବ ରାସ୍ତା l
ମଝିରେ ମଝିରେ ଛାଇ ମିଳୁଥିଲେ
ବିଶ୍ରାମ ଯେ ନେଉଥିବ
ଗତିକଲାବେଳେ ପାଟିର ଓଠକୁ
ଖୋଲା କେବେ ନକରିବ l
ଯେବେ କେବେ କିଛି ଅସୁସ୍ଥ ଲାଗିଲେ
ଦେହ ମରି ମରି ଗଲେ,
ଡାକ୍ତରଖାନା କୁ ଶୀଘ୍ର ଶୀଘ୍ର ଚାଲିଯିବ
ଚିକିତ୍ସା ହୋଇବ ଭଲେ l
ଅଂଶୁଘାତ ନୁହେଁ ଶରୀରର ରୋଗ
ଖରାତାତି ଯୋଗୁ ହୁଏ
ଖରାଠାରୁ ଯଦି ଦୁରେଇ ରହିବା
ଅଂଶୁଘାତ ଭୟ ଯାଏ l
