ଅନ୍ଧକାର
ଅନ୍ଧକାର
ତମସା ତିମିର ଭରା
ଘନ ଅନ୍ଧକାର
ଆଲୋକ ପାଖରେ ଥାଇ
ଆଲୁଅଠୁ ଦୂର ।
ସହର ତଳିଆ ବସ୍ତି
ହୀନସ୍ଥାର ଚିତ୍ର
ନୂଆଁଣିଆ ଝୁମ୍ପୁଡିରେ
ଜୀବନ ଅସ୍ଥିର ।
ଅଭାବର ଦୁନିଆରେ
ଆବେଗର ସ୍ୱର
ଜାଲପରି ମାଡିଅଛି
ସମସ୍ୟାର ଚେର ।
ଜଳ ଠାରୁ ପରିମଳ
ଶୀତଳ ପବନ
ସବୁର ବିଚିତ୍ର ଚିତ୍ର
କାଳ ହୁଏ "ଘନ" ।
ଶିକ୍ଷାର ପ୍ରଦୀପ ଯହିଁ
ଅଧା ଜଳା ବତୀ
ନଥାଏତ ଧ୍ୟାନ ଏଠି
ସ୍ୱାସ୍ଥ୍ୟରକ୍ଷା ପ୍ରତି ।
ବସ୍ତିର ଶିଶୁର ସ୍ୱପ୍ନ
ଶ୍ରମିକଟେ ହେବା
ଶୈଶବତା ଅଣଦେଖା
ଭାଗ୍ୟକୁ ନିନ୍ଦିବା ।
ନାରୀର ଜୀବନ ଏଠି
ନରକଠୁ ବଳି
ନିଶା ଦିଏ ମଣିଷର
ଭବିଷ୍ୟତ ଜାଳି ।
ବସ୍ତିର ମଣିଷ ବୋଲି
କହିଦିଏ ରୂପ
ସେହି ରୂପ କଳ୍ପନାରେ
ଲେଖା କେତେ ଗପ ।
ଶାସନଠୁ ପ୍ରଶାସନ
ସଭିଙ୍କର ଚିନ୍ତା
କୁମ୍ଭୀର କାନ୍ଦଣା ଲୁହେ
ସହରଟା ତିନ୍ତା ।
ସମସ୍ୟା ଥାଇ ବି ବଢେ
ବସ୍ତି କଳେବର
ରାତିଠୁ ଡରାଏ ବେଶି
ଦିନର ଅନ୍ଧାର।