STORYMIRROR

Anil Kumar Parhi

Inspirational

2  

Anil Kumar Parhi

Inspirational

ଅନାବନା କବିତା - ୩୯

ଅନାବନା କବିତା - ୩୯

1 min
13.8K



ଆସନା

ଦିପଦ କଥାହେବା

ବୈଠକଘରେ ବିଞ୍ଚଣା ଧରି ବସିବା

ସଉପରୁ ପିମ୍ପୁଡି କି

ଛାରପୋକ କାଢି ପିଙ୍ଗିବା।

ଆସନା,

ପାଚିଲା ବେଲରୁ ଖସିଆସି

ତିନ୍ତୁଳି ଗଛକୁ ବିରକ୍ତ କରୁଥିବା

ଝାଞ୍ଜିକୁ,

ଘିମିରି ଭର୍ତ୍ତି ପିଠିରେ ଥାପିବା।

ଘରଆଡେ ଆସନା

ହଜିଯାଇଥିବା ଲୋକଙ୍କୁ

ଗୋଟେଇଆଣିବା ଧୂଳିଭର୍ତ୍ତି

ଗୋହିରୀ ଦେହରୁ,

ଭୁଲିଯାଇଥିବା ଦିନଙ୍କୁ

ଗୋଟେଇବା ଦକ୍ଷିଣା ବାଆରୁ।


ପ୍ରାୟ ବିସ୍ମୃତି ପାଖରୁ

ଆମେ କଣ ପାଖରେ ବସିଛେ

ଗପିଛେ,

ଆମେ ଖାଲି କବିତା ଲେଖୁଛେ।

ଗୋଟେଦିନ

ମୁକ୍ତ ହେବା କବିତାର ଜଞ୍ଜାଳରୁ

ମୋବାଇଲ୍, ଫେସବୁକ, ହ୍ବାଟ୍ସଅାପ୍ ରୁ।

ଗୋଟେଦିନ ଆମେ ଆମର ହେବା

କେବଳ ଆମର,

ଆମ ଅଭିମାନ

ଅନ୍ତହୀନ ଅହଂକାର

ଏମିତି କି ଅସ୍ମିତାକୁ ଭୁଲି

ପାଶୋରି ଦେଇଥିବା

ଜୀବନକୁ କରିବା ନିଜର

ଆସନା ଦେଖିବା କେମିତି ଗଢୁଛନ୍ତି ଆମେ ଛାଡିଥିବା ଧୂଳିଘର

ଆମ ପୁତ୍ର, ପୌତ୍ର।

ଆସନା

ପ୍ଲେଟରେ ଚା ଢାଳି

ପିଇବା ସୁଡୁସୁଡୁ କରି।

ମରାଳମାନେ ଧୀରେଧୀରେ

ନାଲିମୁହାଁ ସୂର୍ଯ୍ୟ ଉପରେ

ପଶ୍ଚିମ ଦିଗରେ।

ସଞ୍ଜ ହୋଇଆସୁଛି

ପାଦଚଲା ହିଡ ରାସ୍ତା

ଧୁନ୍ଦୁଲା ଜହ୍ନ ଆଉ

ବୋଝ ହୋଇଯାଉଥିବା ମନ

ଆସ

ଅଢେଇ କିଆରୀଆ ତମ୍ପ ପରି

ଗୋଡେଇନେବା ଅତୀତକୁ

କିଛି ବାଟ।

ଆସ ବସିବା ପୁଣି ଥରେ ମିତ!

ସେପଟ

ଗାଁ ମଶାଣିରେ

ଗଡୁଥିବା ମାଲଆଟିକା

ଏବେ ଖୁବ୍ ଏକା,

ସ୍ମୃତିର ଚେନାଏ ଚିହ୍ନ ପଡିଛି

ସେଠି ଲୁଚିଥିବା କୋହକୁ

ହାତ ବଢାଇବା।

ଆସନା,

ଆମ୍ବ ବଉଳ ତଳେ

ଠିଆହୋଇ ମହୁ ହେବା

ଆସନା ହରିହାଟ ପଙ୍ଗତରେ

ଆଣ୍ଠୁଟେକି ମଣୋହି କରିବା।

ଅବିର ରଙ୍ଗରେ

ଏକଦା ଭିଜିଥିବା ଦାଣ୍ଡ

କେତେକେତେ ଅଳତା ପିନ୍ଧା

ଲାଜକୁଳୀ ଚାଲିଙ୍କୁ

ଧରି ପାଲଟିଛି

ଭଙ୍ଗା ସିଲଟ,

କେତେ କିଏ ହଜିଗଲେ

କେତେ ରହିଗଲେ

ହିସାବ କରିବା

କେତେ ହେଲେ ହନ୍ତସନ୍ତ।


ଆସନା ପୋଖରୀ ହୁଡାରୁ

ଡାହୁକକୁ ପଥର ଫିଙ୍ଗିବା

ଆସନା

ଉତ୍ତର ନଦେଇ ଖାଲି

ପ୍ରଶ୍ନ ପଚାରିବା,

ଆସନା

ଅସୁମାରୀ ସ୍ବପ୍ନରେ

ବାରଣ୍ଡାରେ ସଉପ ପାରି

ରାତି କାଟି ଦେବା,

ଡାହାଣୀର ଆଲୁଅ ଦେଖିବା!

ଥରେ

ନିଜେ ସରିବା ଆଗରୁ

ଆମକୁ ସାରିଦେଉଥିବା

ଚାକଚକ୍ୟ ଓ ଅଭିମାନର

କାନ ମୋଡିଦେବା ଆସନା

ଆସନା l


ଅନୀଲ କୁମାର ପାଢୀ


Rate this content
Log in

Similar oriya poem from Inspirational