ଅମୃତମୟ
ଅମୃତମୟ
ଏ ସାରା ସଂସାର ଅମୃତମୟର
ଏକଇ ଅମୃତବିନ୍ଦୁ,
ସରବ ସୃଜନ ଅମୃତ ବ୍ୟଜନ
ତାହା ତ ଅମୃତସିନ୍ଧୁ ।
ଜୀବନ ଅଟଇ ଅମୃତସିନ୍ଧୁର
ଏକ ଏକ ଅଣୁମାତ୍ର,
ଅମୃତେ ବଞ୍ଚଇ ଅମୃତ ସୃଜଇ
ଅମୃତ ଜୀବନ ପାତ୍ର ।
ନେତ୍ରେ ଯାହା ଦିଶେ ଶୋଭା ପରକାଶେ
ଅମୃତର ମହାଧାର,
ସେ ଧାର ପରଶେ ସର୍ବ ପାପ ନାଶେ
ଅମୃତକୁ କରି ସର ।
ଅମୃତ ବଚନ ଅମୃତ କଥନ
ହରିନିଏ ଜନମନ ,
ବିନୟ ବଚନେ ଅମୃତ କାନନେ
ବିହରଇ ତନୁମନ ।
ପବିତ୍ର କାମନା ପୁଣି ସଦ୍ଭାବନା
ଅମୃତର ସ୍ରୋତଧାର,
ଧାର ପରବେଶ ଲାଗଇ ସୁବାସ
ସ୍ରୋତସ୍ବିନୀ ଶତଧାର ।
ଜୀବନ ହୋଇଛି ପ୍ରଭା ପ୍ରକାଶିଛି
ଅମୃତେ ଅମୃତ ଧନ,
ଅମୃତ ମଧ୍ୟରୁ ଆଶା ପ୍ରକାଶରୁ
ସୃଷ୍ଟିହୁଏ ମହାଧନ ।
ସଂସାରରେ ନାହିଁ ବିଷାବିଷ କିଛି
ସବୁଥିରେ ଏ ଅମୃତ,
ଯହିଁରେ ଖୋଜିବ ତହିଁରେ ପାଇବ
ଅସୀମତମ ଅମୃତ ।
ଅମୃତ ଝରଇ ନେତ୍ରେ ନ ଦିଶଇ
ମନେ ହୁଏ ଅନୁଭବ,
ଅନୁଭବ ମାତ୍ରେ ଏ ଜୀବନ କ୍ଷେତ୍ରେ
ଅମୃତ ଯେ ଅଭିନବ ।
ଗୃହ ପରିବାର ଯହିଁ ସଦାଚାର
ମିଳଇ ଅମୃତ ସ୍ରୋତ,
ଅମୃତ ପାନରେ ହୃଦମନ ହରେ
ଫୁଟେ ସଦା ପାରିଜାତ ।
ଅମୃତରେ ବାସ ଅମୃତରେ ହାସ
ଅମୃତ ଜୀବନ ଏଇ,
ଅମୃତମୟ ଏ ସକଳ ଜୀବନ
ସେନେହ ମମତା ଯହିଁ ।
