ଅମଡ଼ା ବାଟ
ଅମଡ଼ା ବାଟ
ମନ ଗହନରେ ଅମଡ଼ା ବାଟ
କିଏ କହିବ ତା' ଫନ୍ଦି ଫିକର
ବୁଢିଆଣୀ ଜାଲ ପରି ଘେରା ଫେରା
ଅସରନ୍ତି ତା'ର ବାର ଦୁଆର ।
ମନ ମଗଜରେ କେତେ ଯେ ହିଲ୍ଲୋଳ
କିଏ ବା ଗଣିବ ହିସାବ କରି
ମହୋଦଧି କୂଳେ ମଥା ପିଟେ ନିତି
ନାଚି ନାଚି ଉର୍ମି ଆସଇ ଫେରି ।
ମା' ର ସେନେହ ଶାଶୁମା' ସନ୍ଦେହ
କୁହେଳିକାମୟ ଚିତ୍ର ଚରିତ୍ର
ଦୁହେଁ ତ ନାରୀ ମା'ରୂପୀ ସବାରୀ
ଜଣେ ବଇରୀ ଅନ୍ୟ ଶୁଦ୍ଧ ପବିତ୍ର ।
ଝିଅଟି ଗେଲେହି ବୋହୁଟି ଫୁଲେଇ
ଗୋଟିଏ ବର୍ଗର କନ୍ୟା ରତନ
କି ପାଇଁ ଅଲଗା ଦର୍ପଣରେ ଦେଖା
ଭିନ୍ନ ମାପଦଣ୍ଡ ଶବ୍ଦ ଚୟନ ।
ଝିଅର ଦୁଃଖ ଛାତି ଚିରିଦିଏ
ବୋହୁ ପାଇଁ ନାଲି ଆଖି
ଯୌତୁକ ଜୁଇରେ ଜଳେ ହୁତୁହୁତୁ
କନ୍ୟା ତରି ଯାଏ ନିରିମାଖି ।
ଚିନ୍ତନ ମନନ ବିବେକ ବିଦୀର୍ଣ୍ଣ
ଭାବି ଅଲାଜୁକି ବ୍ୟଥା
ଗଜୁରାଅ ପ୍ରଭୁ ଦିବ୍ୟ ଚେତନା
ହୃଦୟ କନ୍ଦରେ ଗୁନ୍ଥା ।
ଶତ ଶତାବ୍ଦୀର ଇତିହାସ ଗାର
ଶେଷ ହେଉ କାଳଗର୍ଭେ
ମର୍ଯ୍ୟାଦା ତିଳକ ଲଲାଟ ଦସ୍ତକ
ବିଦାରି ଭତାରି ସଗର୍ବେ ।
ମହିୟସୀ ଆର୍ଯ୍ୟା ଭାର୍ଯ୍ୟା ମହିଳା
କୂଳର ନମନ ବନ୍ଦନ ସ୍ଵର
ସସାଗରା ଧରା ମମତାରେ ଘେରା
ସ୍ଵର୍ଗଠୁଁ ସୁନ୍ଦର ସବୁ ଘରପୁର ।
