ଅମାବାସ୍ୟା
ଅମାବାସ୍ୟା
ଅମାବାସ୍ୟା ଅମା ଅନ୍ଧକାର ନେଇ
ଆସେ ପ୍ରତି ମାସାନ୍ତରେ
ସେ ଦିନ ଟି ବଡ ଅଶୁଭ ବୋଲିଟି
ମଣିଷ ମନଟା ଡରେ।।
ଭଗ୍ୟହିନା ପାଇଁ କାଳର ରାତି ଏ
ଭାଗ୍ୟବାନ ପାଇଁ ଶୁଭ
କର୍ମର ଅବଳେ ଦୁଃଖ ପାଏ ନର
ତା ପାଇଁ ହୁଏ ଅଶୁଭ।।
ଅମାବାସ୍ୟା ଦିନ ପୁତ୍ର ଜନମିଲେ
କୂଳକୁ ଉଦ୍ଧାର କରେ
ହେଲେ ଏହି ଦିନ କନ୍ୟା ଜନ୍ମହେଲେ
ଉଆଁସି କନ୍ୟା ବୋଲାଏ।।
ଉଆଁଶି କନ୍ୟାର ବରଖୋଜା ଚିନ୍ତା
ମନକୁ ଦିଏ ଯେ କଷ୍ଟ
ସତେ ଅବା ଝିଅ ପିତା ମାତା ପାଇଁ
ବୋଲାଇଥାଏ ଅରିଷ୍ଟ।।
ଆଜି ବି ମଣିଷ ରାହିଯାଇଅଛି
ଅନ୍ଧ ବିଶ୍ବାସର ଦାସ
ସେ ଅନ୍ଧ ବିଶ୍ୱାସେ ଚେତନା ନିହତ
ଆହତ ହୁଏ ବିଶ୍ୱାସ।।
ଅମାବାସ୍ୟା ଯେବେ ଅପସରି ଯାଏ
ଆସଇ ଆଲୋକ ଫେରି
ମଣିଷ ମନର ଭାବନା ନ ଫେରେ
ରହିଥାଏ ଘର କରି।।
ଛାଇ ଆଲୁଅ ରେ ଭରା ଏ ଜୀବନ
ଆଲୁଅ ପାଏ ଆଦର
ଅଜ୍ଞାନତା ଯୋଗୁଁ ମଣିଷ ସମାଜେ
ଛାଇ ଘୃଣାର ପାତର।।
ଅମାବାସ୍ୟା ଓ ପୂର୍ଣ୍ଣିମା ଅଟନ୍ତି
ଗୋଟିଏ ଗରଭୁ ଜାତ
ତଥାପି ମଣିଷ ବୁଝିପାରେ ନାହିଁ
କରିଥାଏ ପକ୍ଷପାତ। ।।
ଅନ୍ଧାର ବିହୀନ ବିଶ୍ୱ ବ୍ରହ୍ମାଣ୍ଡରେ
ଆଲୋକ ମୂଲ୍ୟ ବିହୀନ
ରାତି ବିନା କେବେ ସତ୍ତା କି ରହିବ
ହୋଇଥିଲେ ଖାଲି ଦିନ।।
ଅମାବାସ୍ୟା ଦିଏ ଆଲୋକର ବାର୍ତ୍ତା
ତଥାପି ସେ କଳୁଷିତ
ମଣିଷ ଜାତିକୁ ଅଜ୍ଞାନ ଗ୍ରାସିଛି
ଚେତନା ହୁଏ ବିକୃତ ।।