STORYMIRROR

Sachidananda Kar

Children

4  

Sachidananda Kar

Children

ଅଲୋଡ଼ା ନୁହନ୍ତି କେହି

ଅଲୋଡ଼ା ନୁହନ୍ତି କେହି

1 min
351


       ଲୋଡୁଥାଏ କଢ଼ି ସୂରୁଯ ଆଲୋକ

           ଫୁଟିବାକୁ ଫୁଲ ହୋଇ

       ଫୁଟିଯାଏ ନିଜେ କେବେ କେବେ ସିଏ

           ଶିଶିରରେ ମୁହଁ ଧୋଇ ।


       ଲୋଡୁଥାଏ ନାଆ ନଈର ସୁଅଟେ

           ଯିବ ବୋଲି ଭାସି ଭାସି

       ଧୀର ପବନରେ କେବେ କେବେ ସିଏ

           କୂଳେ ଲାଗିଯାଏ ଆସି ।


       ଲୋଡୁଥାଏ ଅଳି ବାସନା କୁସୁମ

           ସାଥେ ବସିବାକୁ ମିତ

       ଥିଲେ ତା'ର ପାଶେ କେବେ କେବେ ସିଏ

           ମିଠା ସୁରେ ଗାଏ ଗୀତ ।


       ଲୋଡୁଥାଏ ବୀଜ ଓଦା ମାଟି ମୁଠେ

           ଉଠିବାକୁ ହୋଇ ଚାରା

       ଉଠେ ହୋଇ ଚାରା କେବେ ଯଦି ସିଏ

           ପାଏ ବରଷାର ଧାରା ।


       ଲୋଡୁଥାଏ ମୁହଁ ହସୁରା ମୁହଁଟେ

           ଦିଶିବାକୁ ହସହସ

       ନିଜେ ଦିଏ ହସି କେବେ କେବେ ସିଏ

           କରିବାକୁ ଆନେ ବଶ ।


       ଲୋଡୁଥାଏ ଦୀପ ତଇଳ,ସଳିତା

           ଜଳିବାକୁ ଚାହେଁ ବୋଲି

       ଜଳୁଥାଏ ନିଜେ କେବେ କେବେ ସିଏ

           ଖୁସିରେ ହୃଦୟ ଖୋଲି ।


       ଲୋଡୁଥାଏ କଙ୍କି ଫରଚା ଆକାଶ

           ହରଷେ ଉଡ଼ିବ ପରା

       ଉଡୁଥାଏ ନିଜେ କେବେ କେବେ ସିଏ

           ଦେଖି କଅଁଳିଆ ଖରା ।


       ଲୋଡୁଥାଏ ଯିଏ ଲୋଡ଼ିବା କଥାଟି

           ଜାଣେ ସିନା ଏକା ସେହି

       ଲୋଡ଼ା ଲୋଡ଼ି ହେତୁ ଜଗତଯାକରେ

           ଅଲୋଡ଼ା ନୁହନ୍ତି କେହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children