STORYMIRROR

sanhita mohanty

Romance

4  

sanhita mohanty

Romance

ଅଲିଭା ସ୍ମୃତି

ଅଲିଭା ସ୍ମୃତି

1 min
387

ସ୍ମୃତି ସେ ତ ଭିଜା କାକରର

ରୂପା ଜହ୍ନ ପରି ଗଙ୍ଗଶିଉଳୀର

ହୃଦୟ ବୀଣାର କୋମଳ ଝଙ୍କାର 

ବେଦନା ଯମୁନାର ଉଜାଣି ଜଳଧାର ।


 କେଉଁଠୁ ଗୋଟାଇ ସାଉଁଟି ପାରିବି

ସ୍ମୃତି ସବୁ ମନ ତଳ 

ପରସ୍ତ ପରସ୍ତ ଥାକରେ, 

ଗୋଟିକରେ ହାତ ଲଗାଇଲେ 

ସବୁ ଖସି ପଡି 

ବୋହିଯିବ ସବୁ ନଦୀର ଜଳ ଧାରରେ ।


ଭୟ ହୁଏ ଛୁଇଁଦେଲେ ଥରେ 

ଭାଙ୍ଗି ଯିବ ସବୁ ଲକ୍ଷ୍ମଣ ରେଖାର ପ୍ରାଚୀର

ଆକାଶ ଫଟାଇ 

ଘନ କଳା ବାଦଲଟା 

ଅକାରଣେ ପୃଥିବୀକୁ ଓହ୍ଲାଇ ଆସିବ ।

     

ଆକାଶ ପବନ ମେଘ 

ସବୁଠି ଶୂନ୍ୟତାର ଛାଇ

ଖାଲି ଖାଲି କୋହରେ ଭରିଯାଏ ମନ 

କେଉଁଠି କିଛି ହଜିଯାଇଛି, 

ଅଫେରା ସମୟର ସ୍ରୋତରେ 

କେମିତି ଖୋଜି ହେବ ଆଉ ।


ଧୁ ଧୁ ଖରା ବେଳ 

ଅବା ମୁହଁ ସଞ୍ଜ ବେଳ 

ଅବା ଘନ ରାତ୍ରିର ଅନ୍ଧକାରରେ

ହୃଦୟ ଥରିଯାଏ 

ସେ ଅଜଣା ଆତୁର ବ୍ୟଥାରେ ।


ପ୍ରତି ମୁହୂର୍ତ୍ତରେ ଜୀବନ ଯାଉଛି ଭାଙ୍ଗି 

 ଭଙ୍ଗା ତାସ୍ ଘର ଭଳି 

ନୀରବରେ, ନିଶବ୍ଦରେ

କାହାକୁ ଖବର ନାହିଁ 

ଅସଂଖ୍ୟ କୋଳାହଳ ମଧ୍ୟେ 

ଏକା ଏକା ସବୁ ନିଃସଙ୍ଗତାକୁ ସାଥିରେ ନେଇ 

ତରଳି ଯାଉଛି କୋହ ଯେତେ 

ମହମବତୀର ଶେଷ ବିନ୍ଦୁ ପରି ।


ଘନ ଘନ ଖରା ଛାଇ 

ସବୁଠି ତୁମରି ସ୍ପନ୍ଦନ

ନିଶ୍ବାସର ଶେଷ ଯାଏ ରହିବ ମୋ ସାଥେ, 

ଯେତେ ଦିନ ଯାଏ ଜୀବନରେ ଜୀବନ ଥିବ 

ତୁମେ ରହିଥିବ ସାଥିରେ ସାଥିରେ 

ପ୍ରତି କ୍ଷଣ ଅନୁଭବରେ  ଏଇ ଭଳି 

ସାଉଁଟା ସ୍ମୃତିର ଏ ଜୀବନ । 

      


Rate this content
Log in

Similar oriya poem from Romance