ଅଲୌକିକ ବିଧିର ବିଧାନ
ଅଲୌକିକ ବିଧିର ବିଧାନ
ବର୍ଷା ମୁଖର ନିଶା ଗର୍ଜୁଥିଲା ଭୟଙ୍କର
ଅନ୍ଧାକାରରେ ଝଲସୁଥିଲା ବିଜୁଳି ଘନ ଘନ
କଂସର କାରାଗାରରେ ପ୍ରସ୍ତୁତ ଥିଲେ
ଅସ୍ତ୍ରଧାରୀ ଯେତେ କାରାରକ୍ଷୀ ପ୍ରହରୀ
ଆବଦ୍ଧ କୋଠରୀର ମଧ୍ୟରେ ଥିଲେ
ଅତି ଦୁଃସ୍ଥ ଦୟନୀୟ ଭାବରେ
ଅନ୍ତଃସ୍ଵତ୍ତା ଦେବକୀ ଓ ଅସହାୟ ବସୁଦେବ
ଛଟପଟ ହେଉଥିଲେ ପତିପତ୍ନୀ ଦୁହେଁ
ଲୌହ ଶୃଙ୍ଖଳରେ ହସ୍ତପଦ ହୋଇଥିଲା ବନ୍ଧା
ଆଖିରୁ ହଜି ଯାଇଥିଲା ସ୍ବପ୍ନ ସବୁ ତାଙ୍କର
ଅମାନିଆଁ ବହୁଥିଲା ଧାର ଧାର ଲୁହ
ଭାଗ୍ୟକୁ ଆଦରି କରୁଥିଲେ ଦୁଃଖେ ମନସ୍ତାପ
ହୋଇଥିଲା ଅଦୃଷ୍ଟର ଏକ ଶୂନ୍ୟବାଣୀ
ମାତା ଦେବକୀଙ୍କ ଅଷ୍ଟମ ଗର୍ଭରେ
ଜନ୍ମମିବ ଯେଉଁ ଦିବ୍ୟ ରୂପୀ ପୁତ୍ର ସନ୍ତାନ
ସେ କରିବ ପାପୀ କଂସର ନିଧନ
ଶୁଣି ଏ ନିଷ୍ଠୁର ସତ୍ୟ ଭବିଷ୍ୟତ ଶୂନ୍ୟବାଣୀ
ରଥାରୋହୀ ଭଉଣୀ ଭିଣୋଇକୁ ଆଣି
ଆତଙ୍କିତେ କଂସ ନିକ୍ଷେପି ଥିଲା କାରାଗାରରେ
ଦେବକୀ ଗର୍ଭରୁ ସନ୍ତାନ ହେଲା ମାତ୍ରେ ଜାତ
ସହସା ନେଇ ନିର୍ମମ ଭାବେ ସଦ୍ୟ ଜନ୍ମିତ ଶୁଶୁଟିକୁ
ଶିଳା ଉପରେ କଚାଡ଼ି କରୁଥିଲା ସେ ହତ୍ୟା
ଦୁରାଚାରୀ ପାପୀ କଂସ ହୋଇ ଅଜାତଶତ୍ରୁ
ଚାହିଁଥିଲା ହେବାକୁ ଯୁଗେ ଯୁଗେ ଚିର ଅମର
ଅଲୌକିକ ବିଧିର ବିଧାନ ମର୍ତ୍ତ୍ୟ ମଣ୍ଡଳରେ
ଦେବ ଦାନବ ମାନବ ଜନ୍ମିଲେ ମୃତ୍ୟୁ ସୁନିଶ୍ଚିତ
ବୁଝିବାକୁ ଏ ଜ୍ଞାନ ନଥାଏ କାହାର
ଛଅଟି ଶିଶୁ ସନ୍ତାନକୁ ମାରିଲା ପରେ
ସପ୍ତମ ଗର୍ଭକୁ କରି ମାୟାରେ ଅପହରଣ
ରୋହିଣୀଙ୍କ ପାଶେ ରଖିଥିଲେ ଗୋପନରେ
ସେ ଗର୍ଭରୁ ଜନ୍ମିଥିଲେ ପ୍ରଭୁ ଶ୍ରୀବଳରାମ
ଅଷ୍ଟମ ଗର୍ଭରେ ପରଂବ୍ରହ୍ମ ଶ୍ରୀବିଷ୍ଣୁ
ଜନ୍ମିବାକୁ ଦ୍ବାପରେ ଦେବଗଣେ ତଥା ବ୍ରହ୍ମାଙ୍କୁ
ସ୍ଵୟଂ ସେ ଦେଇ ଥିଲେ ପ୍ରତିଶ୍ରୁତି
ଅବତରୀ ମର୍ତ୍ତ୍ବେ ଦୁଷ୍ଟଶକ୍ତିର କରିବେ ବିନାଶ
ସାଧୁ ସନ୍ଥଙ୍କୁ ପାଳି ରଖିବେ ଧର୍ମର ମହତ୍ତ୍ଵ
ଜଗତର କଲ୍ୟାଣ ପାଇଁ ମାନବ ରୂପେ ଶ୍ରୀହରି
ଜନ୍ମିଥିଲେ ମାତା ଦେବକୀଙ୍କ ଗର୍ଭରୁ
ସେ ଦିନଥିଲା ଭାଦ୍ରବର କୃଷ୍ଣପକ୍ଷ ଅଷ୍ଟମୀ
ହଠାତ୍ ଆଲୋକମୟ ହୋଇ ଉଠିଲା
ବନ୍ଦିଶାଳାରେ କୋଠରୀର କୋଣ ଅନୁକୋଣ
ଖେଳିଗଲା ଆଲୋକର ଦିବ୍ୟ ଜ୍ୟୋତି
କୋଟିଏ ସୂର୍ଯ୍ୟକୁ ଜିଣୁଥିଲା ସେ ପ୍ରଭାର ଆଭା
ଖୋଲିଗଲା ତାଙ୍କର ହସ୍ତ ପଦରୁ ସେ ବେଡ଼ି
ଜନ୍ମ ଲଭିଲେ ମାନବ ରୂପରେ ପ୍ରଭୁ ଶ୍ରୀକୃଷ୍ଣ
ବିସ୍ଫାରିତ ନେତ୍ରେ ଚକିତ ହେଲେ ଦୁହେଁ
ପିତାମାତା ଦେବକୀ ଓ ବସୁଦେବ
ବାଳକ ରୂପେ ପ୍ରଭୁ ଦେଲେ ତାଙ୍କୁ ଦର୍ଶନ
ସୁନ୍ଦର ଦିବ୍ୟ ରୂପେ ଶଙ୍ଖ ଚକ୍ର ଗଦା ପଦ୍ମ
ସେ ଧାରଣ କରିଥିଲେ ତାଙ୍କ ସ୍ଵହସ୍ତରେ
ପ୍ରକାଶିଲେ ଆବିର୍ଭାବର ସମସ୍ତ ବୃତ୍ତାନ୍ତ
ଜନ୍ମିଛନ୍ତି ସେ କରିବାକୁ ଦୁଷ୍ଟ କଂସର ନିଧନ
ପିତା ବସୁଦେବଙ୍କୁ କଲେ ଅନୁରୋଧ
ନେଇଯିବାକୁ ମଧୁରା କଟକରୁ ଗୋପପୁର
ନନ୍ଦରାଜା ଘରେ ଜନ୍ମିଥିବା ବିଜୁଳି କନ୍ୟାକୁ
ଗୋପନରେ ନେଇ ଫେରି ଆସିବେ ସଙ୍ଗତରେ
ରହି ସେ ଯଶୋଦା ମାତାଙ୍କ କୋଳରେ
ରାକ୍ଷସ ବଂଶ ନାଶି କରିବେ ଶାନ୍ତି ପ୍ରତିଷ୍ଠା
ତତ୍ କ୍ଷଣେ ଖୋଲିଗଲା ରୁଦ୍ଧଦ୍ଵାର ସବୁ
ଅଚେତ ହୋଇଲେ ସବୁ କାରାଗାରର ପ୍ରହରୀ
ବସୁଦେବ ନେଇଗଲେ ବାସୁଦେବଙ୍କୁ
ଯମୁନା ଉଛୁଳି ପଡ଼ୁଥିଲା ପ୍ରବଳ ବନ୍ୟାରେ
ନାଗରାଜ ଅନନ୍ତ ବାସୁକି କରିଥିଲେ ସହାୟତା
ଲାଗି ରହିଥିଲା ମୂଷଳ ଧାରାରେ ବର୍ଷା
ଘଡ଼ଘଡ଼ି ସାଥେ ମାରୁଥିଲା ଘନ ଘନ ବିଜୁଳି
ଏ ସମୟେ ପିତା ପୁତ୍ରକୁ ଯତନରେ ନେଇ
ଛାଡ଼ି ଆସିଥିଲେ ଗୋପପୁରର ନନ୍ଦରାଜା ଘରେ
ବିଧିର ବିଧାନେ ଘଟେ ଅଲୌକିକ ଘଟଣା
ସୃଷ୍ଟିର ରଚୟିତା ସ୍ଵୟଂ ଯିଏ ତାଙ୍କ ମହିମା ଅପାର
ତାଙ୍କର ମାୟା ଏ ସଂସାରେ ପ୍ରାଣୀଙ୍କୁ ଅଗୋଚର
ସେ ଦିନକୁ ସ୍ମରଣ କରି ମର୍ତ୍ତ୍ଵବାସୀ ମାନବେ
ଏ ତିଥିରେ ପୂଜି ଭକ୍ତି ନୈବେଦ୍ୟ ଜଣାନ୍ତି ପ୍ରଭୁଙ୍କୁ
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବରେ କରନ୍ତି ପାଳନ
ମହାପ୍ରଭୁ ରକ୍ଷା କରିବାକୁ ତାଙ୍କର ସୁନ୍ଦର ସୃଷ୍ଟି
ଆବଶ୍ୟକତା ନେଇ କରନ୍ତି ତାର ବିଧାନ
ତାଙ୍କ ଶ୍ରୀଚରଣରେ କୋଟି କୋଟି ନମନ।
