ଅଜାଗା ଘା'
ଅଜାଗା ଘା'
ଜୀବନ ଯେଉଁଠି ଜିଦି, ଜୁଆଖେଳ,
ନଥାଏ କାହାରି କାହା ସାଥେ ମେଳ l
କେବେ ଜାଗିଉଠେ ଜିଣିବାର ନିଶା,
କେବେ ପୁଣି ହାରି ଆଚରଣେ ହିଂସା l
ମାୟା ଜାଲେ ଆଜି ଶିକାର ସଭିଏଁ,
ମରୀଚିକା ପଥେ ଧାବମାନ ପ୍ରାୟେ l
ଆରାମରେ କିଏ ଜୀଏଁ ମାଗି ବଟି,
ଭିଟାମାଟି ଛାଡି କିଏ ଯାଏ ଖଟି l
ନିରୀହ ଖଟଇ ତାଡନା କବଳେ,
ଶିଶୁ ଖଟୁଥାଏ ପେଟର ବିକଳେ l
ନିଆଶିରୀ ନାରୀ ଆପଣାଏ କୋଠି,
କ୍ଷୁଧାର ଜ୍ୱାଳାରେ ଖୋଜିବାକୁ ରୋଟି l
ଗ୍ରହୀତା ନବୁଝେ ଗୃହିଣୀର ମୂଲ,
ପରକୀୟା ପାଇଁ କରେ କଲବଲ l
ଦୁରାଚାର ପ୍ରତି ଦୁଆରେ ଦୁଆରେ,
ରାଜୁତି କରଇ ହୀନ ମାନସରେ l
ରାଜନେତା ସଦା ଅଜର ଅମର,
କଉଶଳେ ଲଭି ମନ୍ତିରୀଠୁଁ ବର l
କଳା ବଜାରୀର କଚେ ପୋ' ବାର,
ନେତା, ଚାବିଦିଆ କଣ୍ଢେଇ ଯାହାର l
ତେଲ ମାଖି ଶୁଏ ନାହିରେ ପୁଲିସି,
ଉପୁରି ପାଇଲେ ଗେମ୍ଫଇ ଇଲିସି l
ପୁଞ୍ଜି ନିବେଶକ ଏ ଜାତିର ମଣି,
ଖାଇ ଖାଇ ଖୋଳ କରନ୍ତି ସେ ଖଣି l
ପାଣି ପାଇଁ ଏଠି ମିଛଟାରେ କଳି,
ମେଜ ତଳେ ପୁଣି ହାତ ମିଳାମିଳି l
ଅଜାଗାରେ ଘା' ଦିଶଇ କାହାକୁ,
ଆହାଃ ବୋଲି ଯାହା ଶୁଭଇ ବାଆକୁ l
ସତରେ ଶୁଭୁଛି, ଦିଶୁଛି ଯାହାକୁ,
ବସିଅଛି ବନ୍ଦ କରି ସେ ମୁହଁକୁ l
